ପଶ୍ଚିମ ୟୁପିରେ ବିଜେପିକୁ ଅଡ଼ୁଆ ରାଜପୁତ ଓ ଅନ୍ୟ ପ୍ରଭାବଶାଳୀ ଜାତି

ଲକ୍ଷ୍ନୌ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନକୁ ଆଉ ମାତ୍ର ସପ୍ତାହେ ବାକି ଥିବା ବେଳେ ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପି ପାଇଁ ସ୍ଥିତି ଚିନ୍ତାଜନକ ରହିଛି। ଗତ ଦଶନ୍ଧି ମଧ୍ୟରେ ଏକତ୍ରିତ ହିନ୍ଦୁ ଭୋଟ ଯୋଗୁଁ ଅଧିକାଂଶ ଆସନରେ ଏଠାରେ ବିଜେପି ବିଜୟୀ ହୋଇଥିଲେ ମଧ୍ୟ ଏବେ ସ୍ଥିତି ଦ୍ରୁତ ଗତିରେ ବଦଳିବାରେ ଲାଗିଛି। କେତେକ ପ୍ରଭାବଶାଳୀ ଜାତି ଖୋଲାଖୋଲି ଭାବରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ବିଜେପିକୁ ବର୍ଜନ କରିବାକୁ ନିଜ ସମ୍ପ୍ରଦାୟକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମ ଉତ୍ତରପ୍ରଦେଶରେ ରାଜପୁତ, ତ୍ୟାଗୀ ଓ ସାଇନିମାନଙ୍କ ସମେତ ଏହି ପ୍ରଭାବଶାଳୀ ଜାତିମାନେ ସେମାନଙ୍କର ‘କମ୍ ପ୍ରତିନିଧିତ୍ୱ’କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏପ୍ରିଲ ୭ ତାରିଖରେ ରାଜପୁତମାନେ ସାହାରନପୁରରେ ଏକ ବିଶାଳ ମହାପଞ୍ଚାୟତ କରିଥିଲେ, ଯାହା ବିଜେପି ଭିତରେ ହଇଚଇ ସୃଷ୍ଟି କରିଥିଲା। ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରାୟ ୧୦ ପ୍ରତିଶତ ଜନସଂଖ୍ୟା ଥିବା ସତ୍ତ୍ୱେ କମ୍ ଲୋକସଭା ଟିକେଟ ସମେତ ଅନେକ ପ୍ରସଙ୍ଗକୁ ନେଇ ସମ୍ପ୍ରଦାୟ ଅସନ୍ତୋଷ ପ୍ରକାଶ କରିଛି। ଜେନେରାଲ (ଅବସରପ୍ରାପ୍ତ) ଭିକେ ସିଂହଙ୍କ ସ୍ଥାନରେ ଗାଜିଆବାଦରେ ଅତୁଲ କୁମାର ଗର୍ଗଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେପି ନିଷ୍ପତ୍ତି ନେଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ପଶ୍ଚିମ ଉତ୍ତରପ୍ରଦେଶରେ ୧୦ ପ୍ରତିଶତ ଭୋଟର ଥିବା ସମ୍ପ୍ରଦାୟରୁ ମୋରାଦାବାଦରୁ ମ‌ାତ୍ର ଜଣେ ପ୍ରାର୍ଥୀ ରହିଛନ୍ତି।

ସେହିଭଳି ତ୍ୟାଗୀ ଓ ସାଇନି ସମ୍ପ୍ରଦାୟ ଅନେକ ସ୍ଥାନରେ ବିଜେପି ବିରୋଧରେ ପଞ୍ଚାୟତ କରୁଛନ୍ତି। ଜାତି ଭିତ୍ତିରେ ଭୋଟ ବିଭାଜିତ ହେଲେ ନିର୍ବାଚନମଣ୍ଡଳୀ ଭିତ୍ତିରେ ଭୋଟ୍ ପ୍ରତିଶତ ବିଜେପି ସପକ୍ଷରେ ଯିବ ନାହିଁ। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସହାରନପୁରରୁ ମୁସଲମାନ ସମ୍ପ୍ରଦାୟର ମଜିଦ ଅଲିଙ୍କୁ ପ୍ରାର୍ଥୀ କରିଛି। ନିକଟରେ ଅସନ୍ତୁଷ୍ଟ ରାଜପୁତ ସମ୍ପ୍ରଦାୟ ସହ ବୈଠକ କରିଥିବା ଇମ୍ରାନ୍ ମାସୁଦଙ୍କୁ ବିରୋଧୀ ଇଣ୍ଡି-ମେଣ୍ଟ ଟିକେଟ୍ ଦେଇଛି। ଏଠାରେ ବିଜେପି ପକ୍ଷରୁ ଶର୍ମା-ବ୍ରାହ୍ମଣ ସମ୍ପ୍ରଦାୟର ରାଘବ ଲଖନପାଲ ଲଗାତାର ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ। ରାଜପୁତଙ୍କ ଗୌରବମୟ ଇତିହାସକୁ ବିକୃତ କରିବା, ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) ସମାନ ଅଧିକାରରୁ ବଞ୍ଚିତ ହେବା ଏବଂ ଲୋକସଭାରେ ସମାନୁପାତିକ ପ୍ରତିନିଧିତ୍ୱ ନ ପାଇବା ଯୋଗୁ ରାଜପୁତ ସମ୍ପ୍ରଦାୟ ବିଜେପି ପ୍ରତି ବିମୁଖ ହୋଇଛି। ସମ୍ପ୍ରଦାୟକୁ ମନାଇବା ପାଇଁ ରାଜପୁତ ନେତାମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି, କିନ୍ତୁ ବର୍ତ୍ତମାନ ସମ୍ପ୍ରଦାୟ ବିଜେପିକୁ ଏକ ଶିକ୍ଷା ଦେବାକୁ ଶପଥ ନେଇଛି ବୋଲି ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ରାଜପୁତ ନେତା ଠାକୁର ପୂରଣ ସିଂହ କହିଛନ୍ତି। ମୁଜାଫରନଗର ନିର୍ବାଚନମଣ୍ଡଳୀରେ ଲଗାତାର ବିରୋଧର ସମ୍ମୁଖୀନ ହେଉଥିବା ସଞ୍ଜୀବ ବଳୀୟାନଙ୍କୁ ବିଜେପି ଟିକେଟ୍ ଦେଇଛି। ତ୍ୟାଗୀ ଓ ରାଜପୁତ ସମ୍ପ୍ରଦାୟର ନେତାମାନେ କହୁଛନ୍ତି ଯେ ସେମାନେ ବିଜେପିରୁ ନିର୍ବାଚନ ପାଇଁ ଟିକେଟ୍ ପାଉନାହାନ୍ତି। ସଞ୍ଜୀବ ଏବେ ପ୍ରଭାବଶାଳୀ ଜାତିର କଡ଼ା ବିରୋଧର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର