ଜୟପୁର: ଗତ ଡିସେମ୍ବର ୭ ତାରିଖରେ ଅନୁଷ୍ଠିତ ହୋଇଥିଲା ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିରେ କଂଗ୍ରେସକୁ ୯୯ଟି, ଭାରତୀୟ ଜନତା ପାର୍ଟିକୁ ୭୩ଟି ଆସନ ମିଳିଥିଲା। କଂଗ୍ରେସ ଦଳ କେତେକ ବିଦ୍ରୋହୀ ଏବଂ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ନେତାଙ୍କ ପାଇଁ ଏତେ କମ୍‌ ସଂଖ୍ୟକ ଆସନ ପାଇଲେ ବୋଲି ରାଜ୍ୟ କଂଗ୍ରେସ ସଭାପତି ସଚିନ୍‌ ପାଇଲଟ୍‌ କହିଛନ୍ତି। ତା’ନହେଲେ କଂଗ୍ରେସ ଆହୁରି ୧୫ଟି ଅଧିକ ଆସନ ପାଇଥାନ୍ତା।
ଏକଥାକୁ ଗୁରୁତ୍ୱ ଦେଇ ରାଜ୍ୟ କଂଗ୍ରେସ ନେତୃତ୍ୱ ଏବେ ଏଭଳି ନେତାଙ୍କର ଏକ ତାଲିକା ପ୍ରସ୍ତୁତ କରିଛି,ଯେଉଁମାନେ ଗତ ବିଧାନସଭା ନିର୍ବାଚନ ସମୟରେ ଦୂର ଅନିଷ୍ଟ କରିଥିଲେ। ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ଏହି ପ୍ରସଙ୍ଗରେ ସଚିନ ପାଇଲଟ୍‌ ଆଲୋଚନା କରିସାରିଥିବା କୁହାଯାଉଛି। ଗତ ନଭେମ୍ବର ମାସରେ କଂଗ୍ରେସ ୨୨ଜଣ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏମାନଙ୍କ ମଧ୍ୟରେ ନଅ ଜଣ ପୂର୍ବତନ ବିଧାୟକ ମଧ୍ୟ ଥିଲେ,ଯେଉଁମାନେ ପାର୍ଟିର ବାରଣ ସତ୍ତ୍ୱେ ନିର୍ବାଚନ ଲଢିଥିଲେ। ଏମାନଙ୍କ ଭିତରୁ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ମହାଦେବ ସିଂହ ଖଣ୍ଡେଲା ଓ ବାବୁଲାଲ ନାଗର ମଧ୍ୟ ଥିଲେ। ଖୁବ୍‌ ଶୀଘ୍ର ଏଭଳି ନେତାଙ୍କ ତାଲିକା କେନ୍ଦ୍ରୀୟ କମିଟିକୁ ପଠାଯିବ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସୁପାରିଶ କରାଯିବ ବୋଲି ଜଣାଯାଇଛି।