ଛାତ୍ରାବାସରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କଲେ ରାଜସ୍ଥାନ ସରକାର

ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ମାନସିକତା ବୃଦ୍ଧିି କରିବା ପାଇଁ ରାଜସ୍ଥାନ ସରକାର ଅଭିନବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜସ୍ଥାନ ସରକାରଙ୍କ ଅଧୀନରେ ଓବିସି, ଅନୁସୂଚିତ ଜାତି,ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା ୭୮୯ ଛାତ୍ରବାସର ଅନ୍ତେବାସୀମାନଙ୍କ ପାଇଁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେହ ସକାଳ ୭ଟାରେ ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି।
ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ଆବାସିକ ବିଦ୍ୟାଳୟଗୁଡ଼ିରେ ଯେପରି ଜାତୀୟ ସଙ୍ଗୀତ ଗାନ କରାଯାଉଛି ଠିକ୍‌ ସେହିପରି ଏହି ପରମ୍ପରା ଛାତ୍ରାବାସଗୁଡ଼ିକରେ ମଧ୍ୟ ପାଳନ କରାଯିବ।ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ କୁହାଯାଇଛି।
ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସମିତ ଶର୍ମା କହିଛନ୍ତି ଯେ ଛାତ୍ରାବାସଗୁଡ଼ିକରେ ଜାତୀୟ ସଙ୍ଗୀତ ଗାନ ରୁଟିନ୍‌ ଭାବେ କରିବା ପାଇଁ ବ୍ୟବସ୍ଥା ଆଗରୁ ରହିଛି। ମାତ୍ର କେତେକ କାରଣରୁ ପ୍ରତିଦିନ ଜାତୀୟ ସଙ୍ଗୀତ ଗାନ ହେଉ ନ ଥିବାରୁ ଏ ପ୍ରକାର ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ହଷ୍ଟେଲରେ ଓ୍ଵାର୍ଡେନ ଅଭାବ ଯୋଗୁଁ ଜାତୀୟ ସଙ୍ଗୀତ ଗାନ ନିୟମିତ ହୋଇ ପାରୁ ନାର୍ହିଁ। ତେଣୁ ନିୟମିତ ଭାବେ ଛାତ୍ରାବାସଗୁଡ଼ିକରେ ଜାତୀୟ ସଙ୍ଗୀତ ଗାନ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ସୂଚନାଯୋଗ୍ୟ ଯେ ରାଜସ୍ଥାନ ସରକାରଙ୍କ ଅଧୀନରେ ଥିବା ୭୮୯ ଛାତ୍ରାବାସରେ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ସେହିପରି ରାଜସ୍ଥାନରେ ୨୨ଟି ଆବାସିକ ବିଦ୍ୟାଳୟରହିଛି।

ସମ୍ବନ୍ଧିତ ଖବର