ରାଜୁ ଶ୍ରୀବାସ୍ତବ: ସଭିଙ୍କ ପ୍ରିୟ ହାସ୍ୟାଭିନେତା

ନୂଆଦିଲ୍ଲୀ: ‘ମୈନେ ପ୍ୟାର୍ କିୟା’ରେ ଏକ ଅତି କ୍ଷୁଦ୍ର ଭୂମିକାଠାରୁ ଆରମ୍ଭ କରି ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର ଚ୍ୟାଲେଞ୍ଜ’ରେ ଭାଗ ନେବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ପ୍ରଶଂସା ପ୍ରାପ୍ତ କରିବା ପର୍ଯ୍ୟନ୍ତ, ରାଜୁ ଶ୍ରୀବାସ୍ତବ ନିଶ୍ଚିତ ରୂପେ ଜଣେ ହାସ୍ୟାଭିନେତା ହିସାବରେ ନିଜ କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ସମସ୍ତଙ୍କ ମୁହଁରେ ହସ ଫୁଟାଇପାରୁଥିବା ରାଜୁ ଶ୍ରୀବାସ୍ତବ ହୃଦ୍‌ଘାତରେ ପୀଡ଼ିତ ହୋଇ ମାସାଧିକ କାଳ ଶଯ୍ୟାଶୟୀ ରହିବା ପରେ ଶେଷରେ ସେପ୍ଟେମ୍ବର ୨୧ ବୁଧବାର ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି। ରାଜୁ ଶ୍ରୀବାସ୍ତବ ଏବେ ଆମ ଗହଣରେ ନ ରହିଲେ ମଧ୍ୟ ତାଙ୍କ ହାସ୍ୟରସର ପରମ୍ପରା ସବୁଦିନ ପାଇଁ ରହିବ। ବିଖ୍ୟାତ କବି ରମେଶ ଚନ୍ଦ୍ର ଶ୍ରୀବାସ୍ତବଙ୍କ ପୁତ୍ର ରାଜୁଙ୍କ ଜନ୍ମ ୧୯୬୩ ମସିହାରେ ଉତ୍ତରପ୍ରଦେଶର କାନପୁରଠାରେ ହୋଇଥିଲା। ଅତି ପିଲାଦିନୁ ସେ ଅନ୍ୟକୁ ନକଲ କରି ହାସ୍ୟ ସୃଷ୍ଟି କରିବାରେ ସିଦ୍ଧହସ୍ତ ଥିଲେ। ସ୍କୁଲ୍ ଜୀବନରେ ସେ ଶିକ୍ଷକମାନଙ୍କର ନକଲ କରୁଥିଲେ।

ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ରାଜୁ: ପତ୍ନୀ
ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ତାଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଶିଖା କହିଛନ୍ତି, ମୁଁ ଏବେ କିଛି କହିବା ସ୍ଥିତିରେ ନାହିଁ। ମୁଁ ଏବେ କ’ଣ କହିପାରିବି। ରାଜୁ ଶେଷ ପର୍ଯ୍ୟନ୍ତ ଲଢ଼ିଲେ। ସେ କିଭଳି ସୁସ୍ଥ ହୋଇଯିବେ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବେ ସେନେଇ ମୁଁ ପ୍ରାର୍ଥନା କରୁଥିଲି। କିନ୍ତୁ ସେମିତି ହେଲାନି। କେବଳ ଏତିକି କହିବି ଯେ ସେ ଜଣେ ପ୍ରକୃତ ଯୋଦ୍ଧା ଯିଏ କି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ।

ପ୍ରତିକୂଳ ପରିସ୍ଥିତିରେ ସଫଳତା
ରାଜୁଙ୍କ ହାସ୍ୟାଭିନୟ ଓ ଅନୁକରଣକୁ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ପସନ୍ଦ କରୁ ନ ଥିଲେ। ୨୦୨୦ରେ ରାଜୁ ତାଙ୍କ ପିଲାଦିନର ଗୋଟିଏ କଥା ମନେ ପକାଇ କହିଥିଲେ କିପରି ତାଙ୍କ ବାପାମାଆ ତାଙ୍କର ହାସ୍ୟାଭିନୟ ପରିବାରର ମାନସମ୍ମାନ ତଳେ ପକାଇବ ବୋଲି କହିଥିଲେ। ରାଜୁ କହିଥିଲେ- ‘ମୋ ହାସ୍ୟାଭିନୟ ଦେଖି ମୋ ସମ୍ପର୍କୀୟ ଲୋକେ ନିଜକୁ ଅପମାନିତ ମନେକରୁଥିଲେ। ସେମାନେ ଭାବୁଥିଲେ ପିଲାମାନେ ପାଠପଢ଼ାରେ ମନ ଦେବା ଉଚିତ, ଘରେ ବା ବାହାରେ ଥଟ୍ଟାତାମସା କରିବା ଉଚିତ ନୁହେଁ। ତେବେ ପରିବାର ଓ ସମ୍ପର୍କୀୟଙ୍କ ତାଗିଦ ରାଜୁଙ୍କୁ ଅଟକାଇ ପାରି ନ ଥିଲା।

ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜୁ
୧୯୯୦ ଦଶକ ପ୍ରାରମ୍ଭରୁ ରାଜୁ ମନୋରଞ୍ଜନ ଶିଳ୍ପର ଅଂଶ ହୋଇଗଲେ। ଅନିଲ କପୁରଙ୍କ ୧୯୮୮ ମୁଭି ତେଜାବରେ ସେ ତାଙ୍କର ପ୍ରଥମ ହାସ୍ୟାଭିନୟ ଆରମ୍ଭ କଲେ। ପରେ ସେ ଶାହରୁଖ ଖାନ୍, ସଲମାନ ଖାନ୍, ଗୋବିନ୍ଦା ଓ ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମରେ ଅଭିନୟ କଲେ। ତେବେ ୨୦୦୫ରେ ରିୟଲିଟି ସୋ ‘ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍‌ଟର ଚ୍ୟାଲେଞ୍ଜ’ରେ ଅଂଶଗ୍ରହଣ କରିବା ପରେ ତାଙ୍କର ସୁନାମ ବିସ୍ତାରିତ ହେଲା। ତା’ପରେ ସେ ଅନେକ ସୋ ଯଥା ରାଜୁ ହାଜିର ହୋ (୨୦୦୯), କମେଡି କା ମହାମୁକାବଲା (୨୦୧୧), ଲାଫ୍ ଇଣ୍ଡିଆ ଲାଫ୍ (୨୦୧୨), କମେଡି ନାଇଟ୍‌ସ ୱିଥ୍ କପିଲ (୨୦୧୩) ଏବଂ ଗ୍ୟାଙ୍ଗ୍‌ସ ଅଫ୍ ହାସିପୁର (୨୦୧୪) ପ୍ରଭୃତିରେ ନିଜ ପ୍ରଦର୍ଶନରେ ଦର୍ଶକଙ୍କୁ ମୋହିଛନ୍ତି। ବିଗ୍ ବସ୍ ୩ରେ ବି ସେ ଅଂଶଗ୍ରହଣ କରିଥିଲେ।

୫ଟି ତଥ୍ୟ
ନୂଆଦିଲ୍ଲୀ: ଅଭିନେତା-କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ବି‌ଷୟରେ କେତେକ କୌତୂହଳଜନକ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା-
 ସେ ରିୟଲିଟି ଟିଭି ପ୍ରୋଗ୍ରାମ୍‌ରେ ଭାବ ନେବା ପୂର୍ବରୁ ବଲିଉଡ୍ ଫିଲ୍ମ ଯଥା ମୈନେ ପ୍ୟାର୍ କିୟା, ବାଜିଗର, ଆମଦାନି ଅଠାନି ଖରଚା ରୁପୈୟା, ମୈ ପ୍ରେମ୍ କୀ ଦିୱାନୀ ହୁଁ ପ୍ରଭୃତିରେ ଅଭିନୟ କରିଥିଲେ।
 ହାସ୍ୟରସରେ ଲୋକପ୍ରିୟତା ଅର୍ଜନ କରିବା ପରେ ୨୦୧୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତାଙ୍କୁ କାନପୁର ଆସନରୁ ପ୍ରାର୍ଥୀ କରାଇଥିଲା।
 ୨୦୧୦ରେ ରାଜୁ ଶ୍ରୀବାସ୍ତବ ଅଭିଯୋଗ କରିଥିଲେ ଯେ ପାକିସ୍ତାନ ତାଙ୍କୁ ଫୋନରେ ଧମକ ଦେଇଛି। ପାକିସ୍ତାନ ଓ ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ଉପରେ ମନ୍ତବ୍ୟ ଦେବା ପରେ ତାଙ୍କୁ ଏପରି ଧମକ ମିଳିଥିଲା।
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଚ୍ଛ ଭାରତର ଅଂଶ ହେବା ପାଇଁ ରାଜୁଙ୍କୁ ମନୋନୀତ କରିଥିଲେ। ତା’ପରଠାରୁ ସେ ବିଭିନ୍ନ ସ୍ବଚ୍ଛତା ଅଭିଯାନରେ ଅଂଶ ଗ୍ରହଣ କରିବା ଦେଖାଯାଇଛି।

ଅମିତାଭ ବଚ୍ଚନଙ୍କ ପ୍ରିୟ ହାସ୍ୟାଭିନେତା
ରାଜୁ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ପିଲାଦିନେ ତାଙ୍କୁ ଖୁବ୍ ନକଲ କରୁଥିଲେ। ସେ ଅଭିତାଭଙ୍କ ହେୟାର ଷ୍ଟାଇଲକୁ ଅନୁକରଣ କରି ତାଙ୍କ ପରି ଅଭିନୟ କରୁଥିଲେ। ଅମିତାଭଙ୍କ ଛବି ନିଜ ଘରେ ଲଗାଉଥିଲେ। ଲୋକେ ତାଙ୍କୁ ବିଗ୍ ବି ବୋଲି ବି ଡାକୁଥିଲେ ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ବିଗ୍ ବି ତାଙ୍କର ପ୍ରିୟ ଅଭିନେତା ଥିବା ବେଳେ ସେ ବି ଅମିତାଭ ବଚ୍ଚନଙ୍କ ପ୍ରିୟ ହାସ୍ୟାଭିନେତା ଥିଲେ। ଉଭୟଙ୍କ ଭିତରେ ବିଶେଷ ବନ୍ଧୁତା ଓ ଭଲପାଇବା ଥିଲା।

ରାଜନେତାଙ୍କର ପ୍ରିୟ
ରାଜୁ କେବଳ ବଲିଉଡ୍ ଅଭିନେତାମାନଙ୍କର ନୁହେଁ, ରାଜନେତାମାନଙ୍କର ମଧ୍ୟ ପ୍ରିୟ ଥିଲେ। ଏକ ୨୦୧୭ ସାକ୍ଷାତକାରରେ ରାଜୁ ପ୍ରକାଶ କରିଥିଲେ କିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅନୁକରଣ-ଅଭିନୟକୁ ଉପଭୋଗ କରନ୍ତି। ମୋଦୀ କୁଆଡ଼େ ତାଙ୍କୁ କହିଥିଲେ- ‘ଯଦି ଚାହଁ, ମୋର ବି ନକଲ କର, କିନ୍ତୁ ନଜର ରଖିବ ଲୋକେ ଯେପରି ତା’ଦ୍ବାରା ଆମୋଦିତ ହେବେ।’ ସେ (ମୋଦୀ) ବିଶ୍ବାସ କରୁଥିଲେ ଯେ ଅନ୍ୟର ନକଲ କରିବା (ମିମିକ୍ରି) ଏକ କଳା। କ୍ଷମତାଶାଳୀ ଲୋକଙ୍କୁ ବି ନକଲ କରିବା ଦୋଷାବହ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ବିଶ୍ବାସ କରୁଥିବା ରାଜୁ ପ୍ରକାଶ କରିଥିଲେ। ଅନେକେ ଜାଣନ୍ତି ନାହିଁ ଯେ ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ତିଆରି କରିବା ପାଇଁ ଅନ୍ୟମାନଙ୍କ ମଧ୍ୟରେ ରାଜୁ ୨୪ ଘଣ୍ଟା କାମ କରୁଥିଲେ।

ସମ୍ବନ୍ଧିତ ଖବର