ବାରଣାସୀ: ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍ବିଏସ୍ପି) ସଭାପତି ତଥା ବିଧାୟକ ଓମ୍ ପ୍ରକାଶ ରାଜଭର ତାଙ୍କ ପୁଅ ବାହାଘର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିବାକୁ ଯାଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ ସ୍ବରୂପ ଏକ ବାର୍ତ୍ତା ଚିଠି ମାଧ୍ୟମରେ ପଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଚିଠି ବହୁଳ ଭାବେ ପ୍ରସାର ହେବା ସହିତ ଏସ୍ବିଏସ୍ପି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସହ ହାତ ମିଳାଇବା ନେଇ ଚର୍ଚ୍ଚା ହେଉଛି। ତେବେ ମେଣ୍ଟ ଗଠନ ସଂପର୍କରେ ଏସ୍ବିଏସ୍ପି ମୁଖ୍ୟ ରାଜଭର କହିଛନ୍ତି, ଲୋକସଭା ନିର୍ବାଚନ ଆହୁରି ବର୍ଷେ ଅଛି।
ଦଳ କୌଣସି ନିଷ୍କର୍ଷରେ ପହଞ୍ଚିବା ଏବେଠୁ ଆଗୁଆ ହୋଇଯିବ। ଆଲୋଚନା ଏବଂ କଳ୍ପନାଜଳ୍ପନା ଜାରି ରହିବା ଉଚିତ ବୋଲି ସେ କହିଛନ୍ତି। ରାଜଭର ଏହା ମଧ୍ୟ ଦାବି କରିଛନ୍ତି ଯେ ସେ କେବଳ ନରେନ୍ଦ୍ର ମୋଦୀଙ୍କୁ ନୁହେଁ, ସୋନିଆ ଗାନ୍ଧି ଏବଂ ଅଖିଳେଶ ଯାଦବ ଏବଂ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ରାଜଭରଙ୍କ ପୁଅ ଅରୁଣଙ୍କ ବାହାଘର ରବିବାର ହେବାକୁ ଥିବାବେଳେ ଆସନ୍ତା ୧୫ ତାରିଖରେ ପୈତୃକ ଗ୍ରାମରେ ଭୋଜି ହେବ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲେଖାଯାଇଥିବା ଚିଠି ସେ ଗତ ୫ ତାରିଖରେ ପାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।