ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବିରୋଧୀ ଦଳ ନେତାଙ୍କ ବିରୋଧ ମଧ୍ୟରେ 'ଅନଲାଇନ୍ ଗେମିଂ ପ୍ରମୋସନ୍ ଆଣ୍ଡ ରେଗୁଲେସନ୍ ବିଲ୍ ୨୦୨୫' ବିଲ୍ ପାରିତ ହୋଇଛି। ହଟ୍ଟଗୋଳ ସତ୍ତ୍ୱେ, 'ଭଏସ୍ ନୋଟ୍' ମାଧ୍ୟମରେ ବିଲ୍ ପାରିତ ହୋଇଥିବା ଜଣାଯାଇଛି। ଉପାଧ୍ୟକ୍ଷ ହରିବଂଶ ରାଜ୍ୟସଭାରେ ବିଲ୍ ପାରିତ ହେବା ନେଇ ଘୋଷଣା କରିବା ପରେ ଗୃହ କାର୍ଯ୍ୟକୁ ୧୦ମିନିଟ୍ ପାଇଁ ମୁଲତବୀ ରଖିଥିଲେ ବୋଲି ସାମ୍ନାକୁ ଆସିଛି। ଗତକାଲି ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା।

Advertisment

କେନ୍ଦ୍ର ସରକାର ଅନଲାଇନ୍ ମନି ଗେମିଂ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇ ସଂସଦରେ 'ଅନଲାଇନ୍ ଗେମିଂ ପ୍ରମୋସନ୍ ଆଣ୍ଡ ରେଗୁଲେସନ୍ ବିଲ୍ ୨୦୨୫' ଆଗତ କରିଥିଲେ। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ସମାଜ ପ୍ରତି ଯେକୌଣସି ବିପଦକୁ ଦୂରେଇ ରଖିବା।

'ଅନଲାଇନ୍ ଗେମିଂ ବିଲ୍ ୨୦୨୫' ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଏହି ବିଲ୍ ଆଗତ ହେବା ପରେ ସମାଜର ଅନେକ ସମସ୍ୟାର ସମାଧାନ ହେବ। ଅନଲାଇନ୍ ମନି ଗେମିଂ ମାଧ୍ୟମରେ ଆତଙ୍କବାଦକୁ ଆର୍ଥିକ ସହାୟତା ଦିଆଯାଉଥିଲା। ଏହାର ଅନେକ ମାମଲା ସାମ୍ନାକୁ ଆସିଛି। ଏହି ବିଲ୍ ପାରିତ ହେବା ଦ୍ବାରା ଏବେ ଆତଙ୍କବାଦକୁ ଆର୍ଥିକ ସହାୟତା ମିଳିବା କଷ୍ଟ ହେବ। ଏହି ବିଲ୍ ଇ-କ୍ରୀଡାକୁ ପ୍ରୋତ୍ସାହିତ କରିବ ଏବଂ ଏହାକୁ ଆଇନଗତ ସ୍ୱୀକୃତି ମଧ୍ୟ ମିଳିବ। ଇ-କ୍ରୀଡା ସହିତ 'ଅନଲାଇନ୍ ସୋସିଆଲ୍ ଗେମିଂ' ପ୍ରୋତ୍ସାହିତ କରିବାରେ ମଧ୍ୟ ସହାୟକ ହେବ ଏହି ବିଲ୍। ଏହି ବିଲ୍ କେବଳ ଏବଂ କେବଳ ଅନଲାଇନ୍ ମନି ଗେମିଂକୁ ବିରୋଧ କରେ। ନିକଟ ଅତୀତରେ, ଏହି ଖେଳଗୁଡିକର ନକାରାତ୍ମକ ପ୍ରଭାବ ଦେଖାଯାଇଛି, ଯାହା ଟଙ୍କା ଠକେଇରେ ମଧ୍ୟ ବ୍ୟବହୃତ ହୋଇଛି। ଲୋକମାନେ ଟଙ୍କା ହରାଇବା ଯୋଗୁଁ ଆତ୍ମହତ୍ୟା ମଧ୍ୟ କରିଛନ୍ତି।"

ତେବେ ଏହି ବିଲ୍ ମାଧ୍ୟମରେ, ପ୍ରଥମ ଥର ପାଇଁ ଇ-କ୍ରୀଡାକୁ ଆଇନଗତ ସ୍ୱୀକୃତି ଦିଆଯାଉଛି। କ୍ରୀଡା ମନ୍ତ୍ରାଳୟ ଇ-କ୍ରୀଡା ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରିବ। ସେମାନଙ୍କର ତାଲିମ-ଗବେଷଣା କେନ୍ଦ୍ର ଏବଂ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ମଧ୍ୟ ବିକଶିତ କରାଯିବ। ଏହି ବିଲ୍ ମାଧ୍ୟମରେ ଅନଲାଇନ୍ ସାମାଜିକ ଖେଳକୁ ଆଇନଗତ ସ୍ୱୀକୃତି ଦେବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ସାଢ଼େ ତିନି ବର୍ଷର ବିଚାର-ବିମର୍ଶ ପରେ ଏହି ବିଲ୍ ଉପରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।