ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ବିଜେଡିର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନବୀନଙ୍କ ସମର୍ଥନ ଲୋଡିଲେ ଏନଡିଏ ଓ ବିରୋଧୀଦଳ ନେତା

ଭୁବନେଶ୍ୱର : ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ପି.ଜେ.କୁରିଏନଙ୍କ କାର୍ଯ୍ୟକାଳ ଗତ ୧ ତାରିଖରେ ଶେଷ ହେବା ପରେ ନୂଆ ଉପାଧ୍ୟକ୍ଷ ପଦ ପାଇଁ ୯ରେ ନିର୍ବାଚନ ହେବ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଶାସକ ଏନଡିଏ ପକ୍ଷରୁ ଜେଡିୟୁ ଏମପି ହରିବଂଶ ନାରାୟଣ ସିଂଙ୍କୁ ଉପାଧ୍ୟକ୍ଷ ପ୍ରାର୍ଥୀ କରିବା ପରେ ବିରୋଧ ଦଳମାନଙ୍କ ପକ୍ଷରୁ ଏନସିପି ଏମପି ବନ୍ଦନା ଚଭନଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ରାଜ୍ୟସଭା ଅାସନ ଗଣିତ ଅନୁସାରେ ବିଜେଡି ଓ ଏଆଇଏଡିଏମକେ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଏହି ଦୁଇ ଦଳକୁ ନିଜ ପକ୍ଷକୁ ଆଣିବାକୁ ଉଭୟ ପକ୍ଷ କସରତ ଆରମ୍ଭ କରିଛନ୍ତି । ତେବେ ଏଆଇଏଡିଏମକେ ଏନଡିଏକୁ ସମର୍ଥନ କରିବାର ସମ୍ଭାବନା ଥିବାରୁ ଏବେ ସମସ୍ତଙ୍କ ଆଖି ବିଜେଡି ଉପରେ ରହିଛି । ଆଜି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଏନଡିଏ ତରଫରୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ବିଜେପି ସଭାପତି ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଫୋନ କରି ସମର୍ଥନ ମାଗିଛନ୍ତି । ସେହିପରି ବିରୋଧୀ ମହାଗଠବନ୍ଧନ ପକ୍ଷରୁ ଶରଦ ପାଓ୍ଵାର ମଧ୍ୟ ସମର୍ଥନ ମାଗିଛନ୍ତି ।

ଏବେ ରାଜ୍ୟସଭା ଅାସନ ଗଣିତ ଉପରେ ନଜର ପକାଯାଉ । ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ । ତେବେ ସେଥିରୁ ଗୋଟିଏ ଖାଲି ରହିଛି । ଫଳରେ ଏବେ ଥିବା ୨୪୪ ସଦସ୍ୟ ମଧ୍ୟରୁ ଉପସଭାପତି ଜିତିବା ପାଇଁ ୧୨୨ ଟି ଭୋଟ ଆବଶ୍ୟକ । ଏନଡିଓ ପାଖରେ ଏବେ ୯୦ ଜଣ ସଦସ୍ୟ ଅଛନ୍ତି (ଶିବସେନାର ୩ ସଦସ୍ୟଙ୍କୁ ଛାଡି) ଓ ଏହାକୁ ଆଉ ୩୨ଟି ଭୋଟ ଆବଶ୍ୟକ । ସେହିପରି ବିରୋଧୀଙ୍କ ସଦସ୍ୟ ସଂଖ୍ୟା ଏବେ ୧୧୨ ରହିଛି, ଅର୍ଥାତ ଏମାନଙ୍କୁ ଆଉ ମାତ୍ର ୧୦ଟି ଦରକାର । କିନ୍ତୁ ନିରପେକ୍ଷ ଥିବା ଦଳ ଏଆଇଡିଏମକେ ,ବିଜେଡି, ଶିବସେନା, ଟିଆରଏସ ଓ ଆଉ କେତେକ ଦଳ ପାଖରେ ମୋଟ ୪୨ ଜଣ ସଦସ୍ୟ ଅଛନ୍ତି । ଏଆଇଡିଏମକେର ୧୩ ଓ ବିଜେଡ଼ିର ୯ ସଦସ୍ୟ ଅଛନ୍ତି ।

ସମ୍ବନ୍ଧିତ ଖବର