ଭୋଟ୍‌ ଦେବା ପାଇଁ ପୂରା ଶରୀରକୁ ପିପିଇ କିଟ୍‌ରେ ଢାଙ୍କି ବିଧାନସଭା ଭବନରେ ପହଞ୍ଚିଲେ କୋଭିଡ୍‌ ଆକ୍ରାନ୍ତ‌ ବିଧାୟକ

ଭୋପାଳ: ଦେଶର ୮ଟି ରାଜ୍ୟର ୧୯ଟି ଆସନ ପାଇଁ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେଉଛି। ମଧ୍ୟପ୍ରଦେଶରେ ଆଜି ୩ଟି ଆସନ ପାଇଁ  ଭୋଟଦାନ ଚାଲିଛି। ଏହା ଭିତରେ ଶୁକ୍ରବାର ଦ୍ବିପ୍ରହରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ଥିବା କଂଗ୍ରେସର ଜଣେ ବିଧାୟକ ପୂରା ଶରୀରକୁ ପିପିଇ କିଟ୍‌ରେ ଢାଙ୍କି ମତଦାନ ପାଇଁ ପହଞ୍ଚିବାର ଦେଖିବାକୁ ମିଳିଛି।

ଶୁକ୍ରବାର ସକାଳୁ ହିଁ କଂଗ୍ରେସ ଓ ବିଜେପିର ବିଧାୟକମାନେ ନିର୍ବାଚନ ପ‌ାଇଁ ମତଦାନ ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି। ଅପରାହ୍ନ ପାଖାପାଖି ୧ଟା ସମୟରେ କଂଗ୍ରେସ ବିଧାୟକ କୃଣାଲ ଚୌଧୁରୀ ପିପିଇ କିଟ୍‌ ପିନ୍ଧି ମତଦାନ କରିବାକୁ ବିଧାନସଭା ଭବନରେ ପହଞ୍ଚିଥିଲେ। କିଛି ଦିନ ତଳେ ଏହି ବିଧାୟକ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

କରୋନା ସଂକ୍ରମିତ ବ୍ୟକ୍ତିମାନେ ନିଜକୁ ପୃଥକ କରି ସମାଜଠାରୁ ଦୂରେଇ ରଖିବା ନିୟମ ରହିଥିଲେ ବି ମତଦାନ କରିବା ସକାଶେ ବିଧାୟକ ସଙ୍ଗରୋଧ ନିୟମ ଭଙ୍ଗ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ବିଧାୟକ ନିଜ ମତ ଦେଇ ସେଠାରୁ ଫେରିବା ପରେ ସଂପୃକ୍ତ ସ୍ଥାନକୁ ସାନିଟାଇଜର୍‌ ପକାଯାଇ ବିଶୁଦ୍ଧିକରଣ କରାଯାଇଛି।

ସମ୍ବନ୍ଧିତ ଖବର