ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଓ ନିୟମ ଉଲ୍ଲଂଘନ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ହରିୟାଣା ଓ ମହାରାଷ୍ଟ୍ରରେ ଭୋଟ୍ ଗଣତି ଗତକାଲି ଅଟକି ଯାଇଥିଲା ଏବଂ ଏହି ଦୁଇ ରାଜ୍ୟର ଭୋଟ୍ ଫଳାଫଳ ଆଜି ସକାଳେ ପ୍ରକାଶ ପାଇଛି। ୪ଟି ରାଜ୍ୟ ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ ଏବଂ ରାଜସ୍ଥାନର ୧୬ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଏଥିରୁ ବିଜେପି ୮ଟି ଆସନ ହାସଲ କରି ରାଜ୍ୟସଭାରେ ନିଜ ସ୍ଥିତି ସୁଦୃଢ଼ କରିଛି। ଅନ୍ୟପକ୍ଷରେ କଂଗ୍ରେସ ୫ଟି ଆସନ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ୩ ଆସନରୁ ଗୋଟିଏ ଶିବସେନା, ଗୋଟିଏ ଏନ୍ସିପି ଏବଂ ଅନ୍ୟଟିରେ (ହରିୟାଣାରେ) ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ହୋଇଛି। ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି (ଏମ୍ଭିଏ) ମେଣ୍ଟକୁ ଝଟ୍କା ଦେଇ ମୋଟ୍ ୬ ଆସନରୁ ବିଜେପି ୩ଟି ଆସନରେ ବିଜୟ ହାସଲ କରିଛି। ଏଠାରେ ବିଜେପିର ବିଜୟୀ ନେତାମାନେ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଅନିଲ ବୋନ୍ଦେ ଏବଂ ଧନଞ୍ଜୟ ମହାଦିକ। ଅନ୍ୟପକ୍ଷରେ ଶିବସେନା ନେତା ସଂଜୟ ରାଉତ, ଏନ୍ସିପି ନେତା ପ୍ରଫୁଲ ପଟେଲ ଏବଂ କଂଗ୍ରେସ ନେତା ଇମ୍ରାନ ପ୍ରତାପଗଡ଼ି ବିଜୟୀ ହୋଇଛନ୍ତି।
ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଏଠାରେ ୨ଟି ଆସନରେ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକନ ହାରି ଯାଇଛନ୍ତି। ବିଜେପି ନେତା କୃଷ୍ଣ ଲାଲ ପନୱାର ଏବଂ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ବିଜୟୀ ହୋଇଛନ୍ତି। କ୍ରସ୍ଭୋଟିଂ କରିଥିବା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଦଳରୁ ବହିଷ୍କୃତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/parliament-1.jpg)