ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରେ କଂଗ୍ରେସ ୩, କର୍ଣ୍ଣାଟକରେ ବିଜେପି ୩

୧୬ ଆସନ ପାଇଁ ୪ ରାଜ୍ୟରେ ରୋଚକ ପ୍ରତିଦ୍ବନ୍ଦ୍ବିତା
ମହାରାଷ୍ଟ୍ର, ହରିୟାଣାରେ ଗଣତି ଅଟକିଲା
ହାରିଲେ ଶିଳ୍ପପତି ସୁଭାଷ ଚନ୍ଦ୍ରା

ନୂଆଦିଲ୍ଲୀ : ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା ଏବଂ ରାଜସ୍ଥାନରେ ଶୁକ୍ରବାର ଦିନ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ଫଳାଫଳ ନେଇ ସସପେନ୍ସ ଜାରି ରହିଛି। ରାଜସ୍ଥାନରେ କଂଗ୍ରେସ ୩ଟି ଏବଂ ବିଜେପି ଗୋଟିଏ ଆସନରେ ବିଜୟୀ ‌ହୋଇଥିବା ବେଳେ କର୍ଣ୍ଣାଟକରେ ବିଜେପି ୩ ଏବଂ କଂଗ୍ରେସ ଗୋଟିଏ ଆସନ ହାସଲ କରିଛି। ଉଭୟ ରାଜ୍ୟରେ କ୍ରସଭୋଟିଂ ହୋଇଥିବାର ଅଭିଯୋଗ ‌‌ହୋଇଛି। ତେବେ ମହାରାଷ୍ଟ୍ର ଏବଂ ହରିୟାଣାରେ ଫଳାଫଳ ଘୋଷଣା କରାଯାଇନାହିଁ।

ଶୁକ୍ରବାର ଦିନ ଭୋଟ୍‌ ଗ୍ରହଣ ଶେଷ ହେବାପରେ ଅପରାହ୍ନ ୫ଟାରେ କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା। ରାଜସ୍ଥାନରେ ଭୋଟ୍‌ ହୋଇଥିବା ୪ ଆସନରୁ କଂଗ୍ରେସ ୩ଟିରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୧ ଆସନ ମିଳିଛି। କଂଗ୍ରେସରୁ ରଣଦୀପ ସୁର୍ଯେୱାଲା, ମୁକୁଲ ୱାସନିକ ଏବଂ ପ୍ରମୋଦ ତିୱାରୀ ବିଜୟୀ ହୋଇଛନ୍ତି। ବିଜେପିରୁ ଘନଶ୍ୟାମ ତିୱାରୀ ନିର୍ବାଚିତ ହୋଇଛନ୍ତି। ତେବେ ସଂଖ୍ୟା ନଥାଇ ବିଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଶିଳ୍ପପତି ସୁଭାଷ ଚନ୍ଦ୍ରା ନିର୍ବାଚନ ହାରିଯାଇଛନ୍ତି।

image source-dna

ସେହିଭଳି କର୍ଣ୍ଣାଟକରେ ବିଜେପି ପ୍ରାର୍ଥୀ ୩ଟି ‌ଆସନରେ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ହାତକୁ ଯାଇଛି ଗୋଟିଏ ଆସନ। ନିର୍ବାଚିତ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ବିଜେପିର ନିର୍ମଳା ସୀତାରମଣ ଏବଂ କଂଗ୍ରେସର ଜୟରାମ ରମେଶ। ବିଜେପି ଦୁଇଟି ଆସନ ପାଇବା ନିଶ୍ଚିତ ଥିବା ବେଳେ ଅନ୍ୟ ଦଳ ବିଧାୟକଙ୍କ କ୍ରସଭୋଟିଂ ଯୋଗୁଁ ବିଜେପିକୁ ଆଉ ଗୋଟିଏ ଆସନ ମିଳିଛି। କଂଗ୍ରେସର ଦ୍ବିତୀୟ ପ୍ରାର୍ଥୀ ଏବଂ ଜେଡିଏସ୍ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ତେବେ ସରକାରୀ ଭାବେ ଫଳାଫଳ ଘୋଷଣା କରାଯାଇ ନାହିଁ।

ଅନ୍ୟପକ୍ଷରେ ହରିୟାଣା ଏବଂ ମହାରାଷ୍ଟ୍ରରେ ଭୋଟ୍‌କୁ ନେଇ ବିଭିନ୍ନ ବିବାଦ ଯୋଗୁଁ ନିର୍ବାଚନ କମିସନ ଗଣତି ଅଟକାଇଛନ୍ତି। ହରିୟାଣାରେ ନିୟମ ବିରୋଧୀ ଭୋଟିଂ ପାଇଁ ବିଜେପିର ଅଭିଯୋଗ ଆଧାରରେ ରିଟର୍ଣ୍ଣିଂ ଅଫିସର ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ଦ୍ବାରା ସେମାନଙ୍କ ବାଲଟ୍ ଦେଖାଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ଏବଂ ହରିୟାଣାରେ ବିଜେପି ବିଧାୟକ କ୍ରସ ଭୋଟିଂ କରିଥିବା ଖବର ମିଳିଛି । ବିଜେପି ବିଧାୟକ ଶୋଭାରାଣୀ ଏବଂ ସିଦ୍ଧି କୁମାରୀ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍‌ ଦେଇଛନ୍ତି। କର୍ଣ୍ଣାଟକରେ ମଧ୍ୟ ଜେଡିଏସ୍‌ର ଦୁଇ ଜଣ ବିଧାୟକ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିବା ଖବର ମିଳିଛି ।

The Economic Times

ମହାରାଷ୍ଟ୍ରରେ ବିଜେପି ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ବିରୋଧରେ ଅଭିଯୋଗ ଆଣିଛି। ନିର୍ବାଚନ କମିସନଙ୍କ ଦ୍ବାରା ନିର୍ଦ୍ଧାରିତ ନିମୟ ଉଲ୍ଲଂଘନ ହୋଇଥିବା ଦଳ ଅଭିଯୋଗ କରିଥିବା ବେଳେ ଏମ୍‌ଭିଏ ମଧ୍ୟ ବିଜେପି ବିରୋଧରେ ଅଭିଯୋଗ ଆଣିଛି। ବିଜେପି ବିଧାୟକ ସୁଧୀର ମୁନଗଣ୍ଟିୱାର ତାଙ୍କ ଭୋଟ୍‌ ଦେଖାଇ ଦେଇଥିବା ବେଳେ ରବି ରାଣା ହନୁମାନ ଚାଳିସା ଦେଖାଇ ଅନ୍ୟ ଭୋଟର୍‌ଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ୪ଟି ରାଜ୍ୟରେ ୧୬ଟି ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ ହୋଇଛି । ମହାରାଷ୍ଟ୍ରର ୬ ଆସନ, ହରିୟାଣାର ୨ ଆସନ, ରାଜସ୍ଥାନର ୪ ଆସନ ଏବଂ କର୍ଣ୍ଣାଟକର ୪ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଆସନ ତୁଳନାରେ ଅତିରିକ୍ତ ପ୍ରାର୍ଥୀମାନେ ମଇଦାନରେ ଥିବାରୁ ରୋଚକ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ୪ଟି ରାଜ୍ୟସଭା ଆସନରେ କ୍ରସ୍‌ ଭୋଟିଂ ତଥା ଘୋଡ଼ାବେପାରକୁ ନେଇ ସରଗରମ ଚର୍ଚ୍ଚା ଲାଗି ରହିଥିଲା। ରାଜ୍ୟସଭା ପାଇଁ ୧୫ ରାଜ୍ୟର ୫୭ ଆସନରୁ ୪୧ଟି ଆସନରେ ପ୍ରାର୍ଥୀମାନେ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ବିଜେପି ଏବଂ କଂଗ୍ରେସ ଅତିରିକ୍ତ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିବା ବେଳେ କେତେକ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଥିଲେ।

ସମ୍ବନ୍ଧିତ ଖବର