ନୂଆଦିଲ୍ଲୀ: ଖାଲି ପଡ଼ିଥିବା ରାଜ୍ୟସଭାର ୫୬ଟି ଆସନ ମଧ୍ୟରୁ ଆସନ୍ତାକାଲି ୧୫ଟି ଆସନ ଲାଗି ନିର୍ବାଚନ ହେବ। ଗତ ମଙ୍ଗଳବାର ଦିନ ବିଭିନ୍ନ ରାଜ୍ୟର ୪୧ ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଥିଲା। ଅବଶିଷ୍ଟ ୧୫ ଆସନ ଲାଗି ତିନିଟି ରାଜ୍ୟରେ କାଲି ଭୋଟ୍ ଗ୍ରହଣ କରାଯିବ। ଏହି ୧୫ଟି ଆସନ ଲାଗି ୧୮ ଜଣ ପ୍ରାର୍ଥୀ ଥିବାରୁ ସମସ୍ତଙ୍କର ନଜର ଏହାର ଫଳାଫଳ ଉପରେ ରହିଛି। କାଲି ସନ୍ଧ୍ୟାରେ ଫଳାଫଳ ଘୋଷିତ ହେବ। ତିନିଟି ରାଜ୍ୟରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଆବଶ୍ୟକ ଠାରୁ ଅଧିକ ଜଣେ ଲେଖାଏଁ ପ୍ରାର୍ଥୀ ଦେଇଥିବାରୁ ନିର୍ବାଚନ ରୋଚକ ମୋଡ଼ରେ ରହିଛି। ଉତ୍ତର ପ୍ରଦେଶରେ ୧୦ଟି ଆସନ ପାଇଁ ନିର୍ବ‌ାଚନ ହେବାକୁ ଥିବା ବେଳେ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ୩୯୯ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିର ୨୫୨ (ଏନ୍‌ଡିଏ ୨୭୭) ବିଧାୟକ ଥିବା ବେଳେ ସମାଜବାଦୀ ପାର୍ଟିର ୧୧୦ ବିଧାୟକ ଅଛନ୍ତି। ନିର୍ବାଚିତ ହେବାଲାଗି ଜଣେ ପ୍ରାର୍ଥୀଙ୍କୁ ୩୭ଟି ଭୋଟ୍ ଦରକାର। ହିସାବ ଅନୁଯାୟୀ ବିଜେପି ୭ ଏବଂ ସମାଜବାଦୀ ପାର୍ଟିର ୩ ଜଣ ପ୍ରାର୍ଥୀ ସହଜରେ ଜିତିବା କଥା। କିନ୍ତୁ ବିଜେପି ଜଣେ ଅଧିକ ପ୍ରାର୍ଥୀ ଠିଆ କରାଇଛି। ବିରୋଧୀ ଦଳ ପକ୍ଷରୁ କ୍ରସ୍‌ଭୋଟିଂ ଆଶାରେ ବିଜେପି ଜଣେ ଅଧିକ ପ୍ରାର୍ଥୀ ଦେଇଥିବାରୁ ବିରୋଧୀ ଶିବିରରେ ଛନକା ପଶିଯାଇଛି। ସମାଜବାଦୀ ପାର୍ଟି ଓ ଏହାର ସହଯୋଗୀ ଦଳର ବିଧାୟକଙ୍କୁ ଗୁପ୍ତ ସ୍ଥାନରେ ରଖାଯାଇଛି।

Advertisment

ସେହିଭଳି କର୍ଣ୍ଣାଟକରେ ୪ ଆସନ ପାଇଁ ୫ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କ୍ଷମତାସୀନ କଂଗ୍ରେସ ତିନି ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଏବଂ ଏହାର ସହଯୋଗୀ ଜେଡିଏସ୍ ଦୁଇ ଜଣ ପ୍ରାର୍ଥୀ ଦେଇଛନ୍ତି। ୨୨୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭ‌ାରେ ଜଣେ ପ୍ରାର୍ଥୀଙ୍କୁ ୪୫ଟି ଭୋଟ୍ ଦରକାର। ବିଧାନସଭାରେ କଂଗ୍ରେସର ୧୩୫ ବିଧାୟକ ଥିବା ବେଳେ ବିଜେପି ମେଣ୍ଟର ୮୫ ବିଧାୟକ ଅଛନ୍ତି। ଗଣିତ ଅନୁଯାୟୀ କଂଗ୍ରେସ ଦୁଇଟି ଆସନରେ ଏବଂ ବିଜେପି ମେଣ୍ଟ ଗୋଟିଏ ଆସନରେ ଜିତିପାରିବ। ଏଠାର ମଧ୍ୟ ବିରୋଧୀ ପକ୍ଷରୁ କ୍ରସ୍‌ଭୋଟିଂ ଆଶାରେ ବିଜେପି ମେଣ୍ଟ ଆଉ ଜଣେ ପ୍ରାର୍ଥୀଙ୍କୁ ମଇଦାନରେ ଅବତୀର୍ଣ୍ଣ କରାଇଛି। କଂଗ୍ରେସ ଏହାର ସମସ୍ତ ବିଧାୟକଙ୍କୁ କଡ଼ା ସୁରକ୍ଷାରେ ଏକ ହୋଟେଲରେ ରଖିଛି।

ହିମାଚଳ ପ୍ରଦେଶରେ ମଧ୍ୟ ସମାନ ଅବସ୍ଥା। ରାଜ୍ୟରେ ଗୋଟିଏ ଆସନ ଲାଗି ଦୁଇ ଜଣ ପ୍ରାର୍ଥୀ ଅଛନ୍ତି। ୬୮ ସଭ୍ୟ ବିଶିଷ୍ଟ ବିଧାସନାଭରେ କ୍ଷମତାସୀନ କଂଗ୍ରେସର ୪୦ ଏବଂ ବିଜେପିର ୨୫ ସଭ୍ୟ ରହିଛନ୍ତି। ବିଜୟ ପାଇଁ ୩୫ଟି ‌ଭୋଟ୍ ଦରକାର ଥିବା ବେଳେ କଂଗ୍ରେସ ସହଜରେ ନିର୍ବାଚନ ଜିତିବା କଥା। କିନ୍ତୁ ନିଜ ସପକ୍ଷରେ ଆବଶ୍ୟକ ସଂଖ୍ୟା ନଥାଇ ବିଜେପି ନେତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ରାଜ୍ୟସଭା ପାଇଁ ବିଜୟୀ ଘୋଷିତ ୪୧ ଜଣଙ୍କ ମଧ୍ୟରୁ ବିଜେପିର ସର୍ବାଧିକ ୨୦ ଜଣ ପ୍ରାର୍ଥୀ ଅଛନ୍ତି। ଏହାପଛକୁ କଂଗ୍ରେସର ୬, ତୃଣମୂଳ କଂଗ୍ରେସର ୪, ୱାଇଏସ୍‌ଆର କଂଗ୍ରେସର ୩. ବିଜେଡିର ୨, ଆର୍‌ଜେଡିର ୨, ଏନ୍‌ସିପିର୧, ବିଆର୍‌ଏସ୍‌ର ୧, ଶିବସେନାର ୧ ଏବଂ ଜେଡିୟୁର ଜଣେ ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଥିଲେ।