ଆଜି ରାଜ୍ୟସଭା ନିର୍ବାଚନ: ୪ ରାଜ୍ୟରେ ସ୍ବତନ୍ତ୍ର ପର୍ଯ୍ୟ‌ବେକ୍ଷକ, ଭୋଟ୍‌ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ

ମହାରାଷ୍ଟ୍ରରେ ଠାକ୍‌ରେଙ୍କୁ ଝଟ୍‌କା, ନୱାବ ମଲିକ-ଅନିଲ ଦେଶମୁଖ ଅସ୍ଥାୟୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ। ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ହେଉଥିବା ବେଳେ ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ର‌‌ଦେଶ, ଓଡ଼ିଶା, ଛତିଶଗଡ଼, ପଂଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରୁ ମୋଟ୍‌ ୪୧ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ତେଣୁ ଆସନ୍ତାକାଲି ୪ ରାଜ୍ୟ ହରିୟାଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ୧୬ ଆସନରେ ଭୋଟ୍‌ ଗ୍ରହଣ ହେବ। ରାଜ୍ୟସଭା ନିର୍ବାଚନ ପାଇଁ ଘୋଡ଼ା ବେପାର ଅଭିଯୋଗ ଉଠିଥିବା ବେଳେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି, ୪ ରାଜ୍ୟରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ।

ମହାରାଷ୍ଟ୍ରରେ ଶାସକ ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। ୨ ଗିରଫ ନେତା ନୱାବ ମଲିକ ଏବଂ ଅନୀଲ ଦେଶମୁଖଙ୍କ ଜାମିନ ଆବେଦନକୁ ଆଜି ସ୍ବତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି। ଆସନ୍ତାକାଲିର ନିର୍ବାଚନରେ ଉକ୍ତ ୨ ନେତାଙ୍କ ଭୋଟ୍‌ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଗତ ଫେବ୍ରୁଆରିରୁ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମଧ୍ୟ ଏହି ସମାନ ଅଭିଯୋଗରେ ଜେଲ୍‌ରେ ଅଛନ୍ତି। ସେମାନେ ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେବାପାଇଁ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଜାମିନ ଦେଇନାହାନ୍ତି। କଏଦୀଙ୍କ ଭୋଟ୍‌ ଦେବାର ଅଧିକାର ନାହିଁ ବୋଲି ଇଡିଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିଛନ୍ତି ଏବଂ ଉଭୟ ନେତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ଏହାପରେ ଉଭୟ ନେତା ଏହି ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ସେ ଭୋଟ୍‌ ଦେଇପାରିବେ। ମହାରାଷ୍ଟ୍ରରେ ୬ ଆସନରେ ଭୋଟ୍‌ ଗ୍ରହଣ ହେବ। କିନ୍ତୁ ୭ ଜଣ ପ୍ରାର୍ଥୀ ଅଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ମହା‌ରାଷ୍ଟ୍ରରେ ରାଜ୍ୟସଭା ଆସନରୁ ଜିତିବାପାଇଁ ଜଣେ ପ୍ରାର୍ଥୀଙ୍କୁ ୪୨ ଆସନ ଦରକାର। ଶିବସେନା ସଂଜୟ ରାଉତ ଏବଂ ସଂଜୟ ପାୱାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବି‌ରୋଧୀ ବିଜେପି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଅନୀଲ ବୋନ୍ଦେ ଏବଂ ଧନଞ୍ଜୟ ମହାଦିକଙ୍କୁ ପ୍ରାର୍ଥୀ କରିଛି। ଏନ୍‌ସିପି ଏବଂ କଂ‌ଗ୍ରେସ ଜଣେ ଲେଖାଏଁ ପ୍ରାର୍ଥୀ ଦେଇଛନ୍ତି। ଶିବସେନା‌ ନେତୃତ୍ବାଧୀନ ଏମ୍‌ଭିଏ ସରକାର ପାଖରେ ୬ ରାଜ୍ୟସଭା ଆସନ ମଧ୍ୟରୁ ୩ଟିରେ ଜିତିବାପାଇଁ ସଂଖ୍ୟା ଅଛି। ବିଜେପି ନିଜର ସଂଖ୍ୟା ବଳରେ ୨ଟି ଆସନରେ ଜିତିପାରିବ। କିନ୍ତୁ ଏହା ତୃତୀୟ ପ୍ରାର୍ଥୀ ଦେଇଛି। ଷଷ୍ଠ ଆସନ ପାଇଁ ବିଜେପି ଏବଂ ଶିବସେନା ମଧ୍ୟରେ କଡ଼ା ଟକ୍କର ହେବ।

ସମ୍ବନ୍ଧିତ ଖବର