ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଗ୍ରହଣ କରିନାହିଁ ବୋଲି କେତେକ ସୂତ୍ରରୁ  ଜଣାପଡ଼ିଛି। ସରକାର ଏ ନେଇ ଲୋକସଭାରେ ସଂକଳ୍ପ ଆଗତ କରିବା ପରେ ରାଜ୍ୟସଭାରେ ପୁଣି ପ୍ରସ୍ତାବ ଆଗତ ହେବ ବୋଲି ଜଣାପଡ଼ିଛି। ନିକଟରେ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼  ହଠାତ୍ ଇସ୍ତଫା ଦେଇଥିଲେ। ରାଜ୍ୟସଭାରେ ଜଷ୍ଟିସ୍  ବର୍ମାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ଅନୁମତି ଦେବା ତାଙ୍କ ଇସ୍ତଫା ପଦକ୍ଷେପ ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏବେ କେତେକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଗ୍ରହଣ କରିନାହିଁ।  ଧନଖଡ଼ ରାଜ୍ୟସଭା ଅଧ୍ୟକ୍ଷ ଭାବେ ଗ୍ରହଣ କରିଥିବା ବିରୋଧୀ ସମର୍ଥିତ ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ଗୃହରେ ଉପସ୍ଥାପନ କରାଯାଇ ନଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯିବ ବୋଲି ଜଣାପଡ଼ିଛି।

Advertisment

ସରକାର ଏବେ ଏହି ପ୍ରସଙ୍ଗରେ ଲୋକସଭାରେ ସଂକଳ୍ପ ଆଗତ କରିବେ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ, ଆମେ ମହାଭିଯୋଗ ନେଇ କୌଣସି ସନ୍ଦେହ କରିବା ଉଚିତ ନୁହେଁ ଏବଂ ଏହି  ପ୍ରକ୍ରିୟା ଲୋକସଭାରେ ଆରମ୍ଭ ହେବ। ଏହା ଅଧୀନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିବେ। ଯଦି କମିଟି ପର୍ଯ୍ୟାପ୍ତ କାରଣ ଦର୍ଶାଇବ ତା’ହେଲେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପାଇଁ ସୁପାରିସ କରାଯିବ। ଏହାପରେ ଏହାକୁ ଗୃହରେ ଉପସ୍ଥାପନ କରାଯିବ।

ସୂଚନାଯୋଗ୍ୟ, ଗତ ସୋମବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ   ବିରୋଧୀ ସାଂସଦଙ୍କ ଦ୍ୱାରା ସ୍ୱାକ୍ଷରିତ ମହାଭିଯୋଗ ପ୍ରସ୍ତାବକୁ  ଧନଖଡ଼ ଗ୍ରହଣ କରିବା ସହ ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ରାଜ୍ୟସଭା ମହାସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପଦକ୍ଷେପକୁ ସରକାର ପସନ୍ଦ କରିନଥିଲେ। ବାସ୍ତବରେ ସରକାର ପ୍ରଥମେ ଲୋକସଭାରେ  ମହାଭିଯୋଗ ଉପସ୍ଥାପନ କରିବାକୁ ଚାହୁଁଥିଲେ।