ନୂଆଦିଲ୍ଲୀ : ଜେଡିୟୁର ୫ ଜଣ ଏମ୍ପି ଏବେ ବିରୋଧୀ ମେଣ୍ଟରେ ମିଶିବା ପରେ ଶାସକ ଏନ୍ଡିଏର ରାଜ୍ୟସଭା ଗଣିତ ଟିକିଏ ଜଟିଳ ହୋଇପାରେ। ରାଜ୍ୟସଭାର ମୋଟ ସାଂସଦଙ୍କ ସଂଖ୍ୟା ୨୩୭ ହୋଇଥିବାରୁ ସଂଖ୍ୟାଗରିଷ୍ଠତା ପାଇଁ ଏନ୍ଡିଏକୁ ୧୧୯ ଜଣ ସାଂସଦ ଦରକାର। କିନ୍ତୁ ଏନଡିଏ ପାଖରେ ସେହି ସଂଖ୍ୟା ନାହିଁ। ସେଥିପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଗୃହୀତ କରାଇବା ଲାଗି ବିଜେପି କେତେକ ଆଞ୍ଚଳିକ ଦଳର ସାହାଯ୍ୟ ନେଇଥାଏ। ଜେଡିୟୁ ମେଣ୍ଟରୁ ହଟିବା ପରେ ରାଜ୍ୟସଭାରେ ଏନ୍ଡିଏର ସାଂସଦଙ୍କ ସଂଖ୍ୟା ଆହୁରି ତଳକୁ ଖସିଯିବ। ତେଣୁ ବିଜେପି ଓ ଏନଡିଏ ପାଇଁ ଅନ୍ୟ ଆଞ୍ଚଳିକ ଦଳର ସମର୍ଥନ ଆବଶ୍ୟକ ହେବ।
ଅତୀତରେ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନ ଥାଇ ମଧ୍ୟ ଅଣ-ଏନ୍ଡିଏ ଦଳଗୁଡ଼ିକର ସମର୍ଥନରେ ବିଜେପି ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ କରାଇନେବାରେ ସଫଳ ହୋଇଛି। ସେତେବେଳେ ଜେଡିୟୁର ସମର୍ଥନ ବି ସାହାଯ୍ୟ କରୁଥିଲା। ବର୍ତ୍ତମାନ ଜେଡିୟୁ ଓହରିଯିବା ପରେ ଏନ୍ଡିଏକୁ ୱାଇଏସ୍ଆର୍ସିପି, ବିଜେଡି ଓ ଏଆଇଏଡିଏମ୍କେ ଭଳି ଦଳ ଉପରେ ଭରସା କରିବାକୁ ପଡ଼ିବ।
ଆସନ୍ତା ଶୀତ ଅଧିବେଶନରେ ହିଁ ଶାସକ ମେଣ୍ଟକୁ ରାଜ୍ୟସଭାରେ ନିଜ ସଂଖ୍ୟାବଳ ପ୍ରଦର୍ଶନ କରିବାକୁ ପଡ଼ିବ। ‘ମନୋନୀତ’ ବର୍ଗର ଖାଲି ଥିବା ତିନୋଟି ଆସନ ପୂରଣ କରି ଶାସକ ଦଳ ନିଜର ସାମର୍ଥ୍ୟ ବଢ଼ାଇପାରେ। ମନୋନୀତ ସାଂସଦମାନେ ପ୍ରାୟତଃ ଶାସକ ଦଳକୁ ହିଁ ସମର୍ଥନ କରିଥାନ୍ତି। ତେବେ ମହାରାଷ୍ଟ୍ରରେ ଶିବସେନାର ସିନ୍ଦେ ଗୋଷ୍ଠୀ ବିଜେପି ସହ ହାତ ମିଳାଇବା ପରେ ମଧ୍ୟ ରାଜ୍ୟସଭା ସଂଖ୍ୟା ଦୃଷ୍ଟିରୁ ବିଜେପିକୁ କିଛି ଫାଇଦା ମିଳିପାରି ନାହିଁ। କାରଣ ଶିବସେନାର ସମସ୍ତ ତିନିଜଣ ରାଜ୍ୟସଭା ସାଂସଦ ଉଦ୍ଧବଙ୍କ ପକ୍ଷରେ ରହିବାକୁ ନିର୍ଣ୍ଣୟ ନେଇଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଜେଡିୟୁର। ତେବେ ହରିବଂଶଙ୍କୁ ତାଙ୍କ ପଦରୁ ହଟା ନ ଯାଇପାରେ। କାରଣ ସେ ଭଲ କାମ କରୁଛନ୍ତି ଓ ତାଙ୍କ ଉପରେ ଶାସକ ଦଳର ବିଶ୍ବାସ ଓ ସମ୍ମାନ ବି ରହିଛି।