କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ। ବିଧିବଧ ଭାବେ ଆଜି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସକାଳ ୧୦ଟା ସମୟରେ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରୀୟ ସଚିବାଳୟରେ ଥିବା ରେଳ ଭବନରେ ପହଂଚିଥିଲେ। ସେଠାରେ ବିଭାଗୀୟ ସଚିବ ଓ ବରିଷ୍ଠ ପଦାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି। ପରେ ବିଧି ଅନୁସାରେ ତାଙ୍କୁ ରେଳ ବିଭାଗ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଭାରତୀୟ ରେଳର ଆଧୁନିକରଣ ଓ ସଂପ୍ରସାରଣ ସହ ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶାର ଏହି ସାଂସଦ ଉଲ୍ଲେଖନୀୟ କାର୍ଯ୍ୟ କରିବେ ବୋଲି ଆଶା ରଖାଯାଉଛି। କାରଣ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ରେଳ ସଂଯୋଗ ନଥିବା ବେଳେ ଅନେକ ରେଳ ପ୍ରକଳ୍ପ ଅଧାରେ ରହିଛି। ଖୋର୍ଦ୍ଧା-ବଲାଙ୍ଗୀର, ପାରାଦୀପ- ହରିଦାଶପୁର ଭଳି ବହୁ ପ୍ରକଳ୍ପ ଏଯାଏ ସଂପୂର୍ଣ୍ଣ ହୋଇ ପାରିନାହିଁ। ରେଳ କ୍ୟାବିନେଟର ସେ ପ୍ରଥମ ଓଡ଼ିଆ ସାଂସଦ ଭାବେ ମନ୍ତ୍ରୀ ହେବା ପରେ ଏସବୁ ପ୍ରକଳ୍ପ ଖୁବ୍ ଶୀଘ୍ର ଆଗକୁ ଯିବ ବୋଲି ଆଶା କରାଯାଉଛି।

ବିଜେପି ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ସାଂସଦ ଭାବେ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ସମର୍ଥନରେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଯାଇଥିଲେ। ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଶ୍ୱିନୀ ବୈଷ୍ଣବ। ଏହାପୂର୍ବ କେନ୍ଦ୍ରରେ ସଚିବ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ପିଏମଓର ଡେପୁଟି ସେକ୍ରେଟାରି ରହିଥିଲେ। ୧୯୯୯ ମହାବାତ୍ୟା ବେଳେ ୟୁଏସ ନ୍ୟାଭି ୱେବ୍ ସାଇଟ୍ ଟ୍ରାକ କରି ବାତ୍ୟାର ଗତି ପଥ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିଲେ।

ମୋଦୀଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରୀ ଦାୟିତ୍ୱ ମିଳିଥିବା ବେଳେ ତାଙ୍କ ହାତରେ ଆଉ ୩ଟି ବିଭାଗ ରହିଛି। ରେଳ ବିଭାଗ ସହ ଯୋଗାଯୋଗ, ସୂଚନା ପ୍ରଯୁକ୍ତ ଓ ଇଲୋକ୍ଟ୍ରୋନିକ୍ସ ବିଭାଗ ରହିଛି ଓଡ଼ିଶାର ଅବସରପ୍ରାପ୍ତ ଆଇଏସଏସଙ୍କ ହାତରେ। ସେପଟେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଧର୍ମେନ୍ଦ୍ର ପ୍ରଧାନ। ଦିନ ୧୨ଟାରେ ସେ ଦାୟିତ୍ୱ ଗ୍ରହଣ କରିବେ । ଜାତୀୟ ଶିକ୍ଷା ନୀତି ଲାଗୁ କରିବା ଧର୍ମେନ୍ଦ୍ରଙ୍କ ପାଇଁ ଗୁରୁ ଦାୟିତ୍ୱ ରହିବ।

ସମ୍ବନ୍ଧିତ ଖବର