ରାଜ୍ୟସଭା ସଦସ୍ୟତା ନେଇ ଗୋଗଇଙ୍କ ପ୍ରତିକ୍ରିୟା, ବ୍ୟବସ୍ଥାପିକାରେ ନ୍ୟାୟପାଳିକାର ପ୍ରତିନିଧିତ୍ବ ହେବ

ଗୁଆହାଟୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହେବା ପରେ ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗଇ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସେ ରାଜ୍ୟସଭାକୁ ମନୋନୀତ ହେବା ଫଳରେ ସଂସଦରେ ନ୍ୟାୟିକ ବ୍ୟବସ୍ଥାର ଉପଯୁକ୍ତ ପ୍ରତିନିଧିତ୍ବ ହୋଇପାରିବ। ତେବେ ସେ ଆସନ୍ତାକାଲି ଦିଲ୍ଲୀ ଯିବେ। ସେ ପ୍ରଥମେ ଶପଥ ଗ୍ରହଣ କରିବେ ଏବଂ ପରେ କାହିଁକି ସାଂସଦ ହେଉଛନ୍ତି, ସେନେଇ ପରେ ମିଡିଆକୁ ପୁଙ୍ଖାନୁପୁଙ୍ଖ କହିବେ ବୋଲି ଗୋଗଇ କହିଛନ୍ତି। ଅପରପକ୍ଷେ, ଦେଶ ଗଠନରେ ବ୍ୟବସ୍ଥାପିକା ଓ ନ୍ୟାୟପାଳିକାର ମିଳିତ ପ୍ରୟାସର ଅଧିକ ଆବଶ୍ୟକତା ରହିଛି ବୋଲି ତାଙ୍କର ହୃଦ୍‌ବୋଧ ହୋଇଥିବା ଗୋଗଇ କହିଛନ୍ତି। ନ୍ୟାୟପାଳିକାର ମତ ବ୍ୟବସ୍ଥାପିକା ସମ୍ମୁଖରେ ରଖିବା ତାଙ୍କର ପ୍ରଧାନ କର୍ତ୍ତବ୍ୟ ହେବ ବୋଲି ଗୋଗଇ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗଇ ଗତବର୍ଷ ନଭେମ୍ବରରେ ଅବସର ଗ୍ରହଣ କରିଥିଲେ। ୧୩ ମାସ ଧରି ସୁପ୍ରିମ୍‌ ‌କୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ତୁଲାଇବା ବେଳେ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ରାୟ ପ୍ରକାଶ ପାଇଥିଲା। ସେହିଭଳି ରାଫେଲ ଦୁର୍ନୀତି ମାମଲାରେ ସେ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ରାଫେଲ୍‌ ଫାଇଟର ଜେଟ୍‌ କିଣା ନେଇ ସରକାରଙ୍କୁ ସନ୍ଦେହ କରିବାର କୌଣସି ଅବକାଶ ନାହିଁ ବୋଲି ସେ କହିଥିଲେ। ଅପରପକ୍ଷେ, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କୁ ରାଜ୍ୟସଭା ମନୋନୀତ କରାଯିବା ପରେ ଅନେକ ବିରୋଧୀ ଦଳ ଏହାର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର