ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ମାମଲା: ସଂସଦ ବର୍ଜନ କଲେ ବିରୋଧୀ

ସରକାରଙ୍କ ପ୍ରସ୍ତାବ: କ୍ଷମା ମାଗିଲେ ନିଲମ୍ବନ ପ୍ରତ୍ୟାହାର ହୋଇପାରେ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ମାମଲାରେ ଏବେ ବିରୋଧୀ ଦଳଗୁଡ଼ିକ ଏକଜୁଟ୍‌ ହୋଇ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଗତ ରବିବାର ୮ ଜଣ ସାଂସଦଙ୍କୁ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯିବା ପରେ ସେମାନେ ଧାରଣାରେ ବସିଥିଲେ। ଆଜି ଏହି ସାଂସଦମାନେ ଧାରଣା ପ୍ରତ୍ୟାହାର କରିଛନ୍ତି। ବିରୋଧୀ ଦଳମାନେ ନିଲମ୍ବନ ପ୍ରତ୍ୟାହାର ଦାବି କରି ଆଜି ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବର୍ଜନ କରିଛନ୍ତି ଏବଂ ସରକାରଙ୍କ ସମ୍ମୁଖରେ ୩ଟି ଦାବି ରଖିଛନ୍ତି। ସେଗୁଡ଼ିକ ହେଲା ୮ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା, କୌଣସି ଘରୋଇ ସଂସ୍ଥା ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ)ରୁ କମ୍‌ରେ କୃଷିଜାତ ସାମଗ୍ରୀ ଯେଭଳି କିଣି ପାରିବେ ନାହିଁ ସେ ସଂକ୍ରାନ୍ତ ଏକ ବିଲ୍‌ ଆଣିବା ଏବଂ ସ୍ବାମୀନାଥନ କମିସନଙ୍କ ସୁପାରିସ ଲାଗୁ କରିବା। ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ସରକାରଙ୍କଠାରେ ଏହି ଦାବି ରଖିଛନ୍ତି। ଅନ୍ୟପକ୍ଷରେ ସରକାର ଆଜି ନିଲମ୍ବିତ ସାଂସଦମାନଙ୍କୁ କହିଛନ୍ତି ଯେ ଯଦି ସେମାନେ ନିଜ ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିବେ ତା’ହେଲେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବା ନେଇ ବିଚାର କରାଯିବ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସାଂସଦଙ୍କ ଦ୍ବାରା ଘୋର ବିଶୃଙ୍ଖଳିତ ଆଚରଣ ପଛରେ ଏକ ‘ଟ୍ବିଟ୍‌’ ରହିଛି। ବିଦେଶରୁ ଏକ ଟ୍ବିଟ୍‌ ଆସିବା ପରେ ସାଂସଦମାନେ ଅଧିକ ଉଗ୍ର ହୋଇ ଗୃହରେ ଅନର୍ଥ ଭିଆଇଥିଲେ ବୋଲି ରବିଶଙ୍କର କହିଛନ୍ତି। ଏହା ବିରୋଧୀ ଦଳମାନଙ୍କର କିଭଳି ରାଜନୀତି ବୋଲି ସେ ପ୍ରଶ୍ନ କରିଥିଲେ। ସେ ପରୋକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ବାରା କରାଯାଇଥିବା ଟ୍ବିଟ୍‌କୁ ଏଥିପାଇଁ ଦାୟୀ ବୋଲି କହିଛନ୍ତି। ରାଜ୍ୟସଭାରେ ଆଜି ପ୍ରବଳ ବିରୋଧ ଭିତରେ ୭ଟି ବିଲ୍‌ ଗୃହୀତ ହୋଇଛି। କୃଷି ସଂକ୍ରାନ୍ତ ତୃତୀୟ ବିଲ୍‌ ମଧ୍ୟ ଆଜି ପାରିତ ହୋଇଯାଇଛି। ରାଜ୍ୟସଭାରେ ଆଜି ଖାଦ୍ୟ ଶସ୍ୟ, ତୈଳ, ପିଆଜ ଏବଂ ଆଳୁକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇବା ସଂକ୍ରାନ୍ତ ବିଲ୍‌ ଗୃହୀତ ହୋଇଛି।

ସମ୍ବନ୍ଧିତ ଖବର