ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାରେ ଖାଲି ହେଉଥିବା ୪ଟି ଆସନ ପାଇଁ ମଧ୍ୟ ହେବ ନିର୍ବାଚନ

ଭୁବନେଶ୍ୱର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ଟି ରାଜ୍ୟର ମୋଟ୍ ୫୫ଟି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାଯାଇଛି। ଏଥିମଧ୍ୟରେ ଓଡ଼ିଶାରେ ଖାଲି ହେଉଥିବା ୪ଟି ଆସନ ପାଇଁ ମଧ୍ୟ ହେବ ନିର୍ବାଚନ ହେବ। ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଏବଂ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ମାର୍ଚ୍ଚ ୧୩ ତାରିଖ ଯାଏଁ ଦାଖଲ କରିପାରିବେ। ଠିକ୍ ସେହିପରି ୧୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମାର୍ଚ୍ଚ ୧୮। ଆବଶ୍ୟକସ୍ଥଳେ ଆଗାମୀ ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଛି । ଏହି ଆସନ ପୂରଣ ପାଇଁ ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି ନିର୍ବାଚନ କମିଶନ । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଇତିମଧ୍ୟରେ ଓଡ଼ିଶାରେ ରାଜ୍ୟସଭା ପାଇଁ ଲବି ଜୋରଦାର ଆରମ୍ଭ ହୋଇଯାଇଛି । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୩ଟି ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ଆଉ ଏଥିପାଇଁ ବିଜେଡି ସୁପ୍ରିମୋଙ୍କ ନିକଟରେ ଲବି ଜୋରଦାର ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା । ରମେଶ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏବଂ ଟିକେଟ୍ ପାଇବେ ବୋଲି ଆଶା ଅଛି ।
ଠିକ୍ ସେହିପରି ବିଜେଡିର ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଓ ଜଗତସିଂହପୁର ପୂର୍ବତନ ସାଂସଦ କୁଳମଣି ସାମଲ ଆସି ଲବି କରିଥିବା ଜଣାପଡ଼ିଥିଲା । ଅପରପକ୍ଷରେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି।

ସମ୍ବନ୍ଧିତ ଖବର