ରାଜ୍ୟସଭା: ସ୍ପଷ୍ଟ ବହୁମତଠାରୁ ଏବେ ବି ଦୂରରେ ଏନ୍‌ଡିଏ

ନୂଆଦିଲ୍ଳୀ: ଗତକାଲି ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ଷମତାସୀନ ବିଜେପିକୁ ୧୧ଟି ଅଧିକ ଆସନ ମିଳିିବା ପରେ କଂଗ୍ରେସ ଠାରୁ ଏହାର ଆସନ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ବିଜେପି ସଭ୍ୟସଂଖ୍ୟା ୫୮ରୁ ୬୯ରେ ପହଞ୍ଚିଥିବା ବେଳେ କଂଗ୍ରେସ ସଭ୍ୟ ସଂଖ୍ୟା ୫୪ରୁ ୫୦କୁ ହ୍ରାସ ପାଇଛି। ଏହା ସତ୍ତ୍ୱେ ବିଜେପି ନେତୃତ୍ୱରେ ଗଠିତ ଏନ୍‌ଡିଏ ଏବେ ବି ସ୍ପଷ୍ଟ ବହୁମତ (୧୨୬)ଠାରୁ ବହୁ ଦୂରରେ ରହିଛି। ଅନ୍ୟପକ୍ଷରେ, ଟିଡିପି ଓହରିଯିବା ପରେ ଆହୁରି ଦୁର୍ବଳ ହୋଇପଡ଼ିଛି। ନବନିର୍ବାଚିତ ସଭ୍ୟମାନେ ଶପଥ ନେବା ପରେ ରାଜ୍ୟସଭାରେ ଏନ୍‌ଡିଏ ସଭ୍ୟସଂଖ୍ୟା ୮୭ରେ ପହଂଚିବ। ସେହିଭଳି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସଭ୍ୟ ସଂଖ୍ୟା ୫୭କୁ ଖସି ଆସିବ। ଅନ୍ୟ ଦଳମାନଙ୍କର ସଭ୍ୟସଂଖ୍ୟା ୧୦୦ ହେବ। ଅନ୍ୟ ପ୍ରମୁଖ ଦଳମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ୧୬ ଜଣ ସଦସ୍ୟ ରହିଥିବା ବେଳେ ଆନ୍ନାଡିଏମକେର ୧୩, ତୃଣମୂଳ କଂଗ୍ରେସର ୧୩, ବିଜୁ ଜନତା ଦଳର ୯, ଟିଡିପିର ୭, ଟିଆରଏସ୍‌ର ଏବଂ ସିପିଏମ୍‌ର ୬ ଜଣ ଲେଖାଏଁ ସଭ୍ୟ ରହିଛନ୍ତି। ତେବେ ବିଜେପି ରାଜ୍ୟସଭାରେ ଅନେକ ଥର ଆନ୍ନାଡିଏମକେ, ଟିଆର୍‌ଏସ୍‌ ଏବଂ ଓ୍ଵାଇଏସ୍‌ଆର କଂଗ୍ରେସର ସମର୍ଥନ ପାଇଥିବାରୁ ଭବିଷ୍ୟତରେ ମଧ୍ୟ ଏହି ଦଳଗୁଡ଼ିକ ଉପରେ ଭରସା କରିବା ସ୍ୱାଭାବିକ। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି। ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ଆନ୍ନାଡିଏମ୍‌କେକୁ ଛାଡ଼ିଦେଲେ ଅନ୍ୟ ଦଳଗୁଡ଼ିକ ବିଜେପିଠାରୁ ଦୂରେଇବା ଆରମ୍ଭ କଲେଣି। ତେଲୁଗୁ ଦେଶମ (୭) ଏନ୍‌ଡିଏ ଛାଡ଼ିିବା ପରେ ଏବେ ଟିଆର୍‌ଏସ୍‌ (୬) ମମତା ବାନାର୍ଜୀଙ୍କ ତୃଣମୂଳ ସହ ମିଶି ତୃତୀୟ ସାମ୍ମୁଖ୍ୟ ଗଠନ ଯୋଜନା କଲାଣି। ସହଯୋଗୀ ଶିବ ସେନା (୩) ମଧ୍ୟ ବିଜେପି ଉପରେ ଅସନ୍ତୁଷ୍ଟ ଥିବାରୁ ଏହାର ଆଭିମୁଖ୍ୟ କେତେବେଳେ କଣ ହେବ ତାହା କହିବା ମୁସ୍କିଲ। ବିଜେପିର ଏବେ ସବୁଠାରୁ ବଡ଼ ସହଯୋଗୀ ହେଲା ନୀତୀଶ କୁମାରଙ୍କର ଜେଡିୟୁ (୮)। କିନ୍ତୁ ବିହାରରେ କେତେକ ବିଜେପି ନେତାଙ୍କ କାର୍ଯ୍ୟକଳାପକୁ ନେଇ ନୀତୀଶ ଯେପରି ଅସନ୍ତୋଷ ପ୍ରକାଶ କଲେଣି ତାହା ଆଗକୁ କ’ଣ ହେବ କହିହେବ ନାହିଁ।

ସମ୍ବନ୍ଧିତ ଖବର