ଆଲୋକ ବର୍ମାଙ୍କ ସଂପର୍କରେ ସିଭିସିଙ୍କ ତଦନ୍ତ ରିପୋର୍ଟର ନକଲ ମାଗିଲେ ରାକେଶ ଅସ୍ଥାନା; ‘ନୋ ଚାନ୍ସ’, କହି ମାମଲା ଖାରଜ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ସଂପର୍କରେ ତଦନ୍ତ କରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ସୁପ୍ରିମ୍‌ କୋର୍ଟରେ ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ତାହାର ନକଲ ପାଇବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଯେଉଁ ଆବେଦନ କରିଥିଲେ ତାହାକୁ ଆଜି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ସିଧାସଳଖ ଖାରଜ କରି ଦେଇଛନ୍ତି।

ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଆଜି ଯେତେବେଳେ, ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ସଂପର୍କରେ ତଦନ୍ତ କରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ସୁପ୍ରିମ୍‌ କୋର୍ଟରେ ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ତାହାର ନକଲ ମାଗିଲେ ସେତେବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ କହିଲେ, ‘ନା ଏହାର ନକଲ ତୁମକୁ ଦିଆଯାଇ ପାରିବ ନାହିଁ। କିମ୍ବା ଦେବାର କୌଣସି ସମ୍ଭାବନା ମଧ୍ୟ ନାହିଁ।’ (ନୋ ଚାନ୍ସ) ଅସ୍ଥାନାଙ୍କ ଓକିଲ ରୋହତଗୀ, ଯୁକ୍ତି ବାଢ଼ି କହିଥିଲେ ଯେ ଯେହେତୁ ଅସ୍ଥାନାଙ୍କ ଅଭିଯୋଗ ଆଧାରରେ ସିଭିସି ତଦନ୍ତ କରି ରିପୋର୍ଟ ଦେଇଛନ୍ତି ସେଥିପାଇଁ ସେ ରିପୋର୍ଟର ନକଲ ପାଇବାକୁ ଏବଂ ରିପୋର୍ଟ ଉପରେ ମନ୍ତବ୍ୟ ଦେବାକୁ ହକଦାର। କିନ୍ତୁ, ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ କହିଥିଲେ, ‘ନା ଏହା ତୁମକୁ କୌଣସି ପରିସ୍ଥିତିରେ ବି ଦିଆଯାଇ ପାରିବ ନାହିଁ। କିମ୍ବା ତୁମେ ଏହି ରିପୋର୍ଟ ଉପରେ କୌଣସି ପ୍ରକାରର ମନ୍ତବ୍ୟ ଦେଇ ପାରିବ ନାହିଁ’ ବୋଲି କହିବା ସହ ମାମଲାକୁ ଖାରଜ କରି ଦେଇଥିଲେ।

ଏଥିସହ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ସିଭିସିଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟର ନକଲ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଏକ ଜଉମୁଦ ଲଫାପାରେ ପ୍ରଦାନ କରିବା ସହ ରିପୋର୍ଟ ଉପରେ ଯଦି କିଛି କହିବାର ଥାଏ ତେବେ, ଆସନ୍ତା ସୋମବାର ଦିନ ଗୋଟାଏ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୨୦ ତାରିଖ ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର