ଷ୍ଟକ ବଜାରର ବିଶିଷ୍ଟ ନିବେଶକ ଝୁନ୍‌ଝୁନ୍‌ୱାଲାଙ୍କ ପରଲୋକ

ମୁମ୍ବାଇ : ଭାରତରେ ବିଗ୍‌ ବୁଲ୍ ଭାବେ ପରିଚିତ ଷ୍ଟକ ବଜାରର ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲାଙ୍କ ହୃଦ୍‌ଘାତ ଯୋଗୁଁ ରବିବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୬୨ ବର୍ଷ ହୋଇଥିଲା। ହୃଦଘାତ ପରେ ତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ହସ୍ପିଟାଲ୍‌ରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ହସ୍ପିଟାଲ୍‌ର ସିଇଓ ଏସ୍‌ ସତନାମ୍ କହିଛନ୍ତି। ଅନ୍ୟ ଜଣେ ଡାକ୍ତର କହିଛନ୍ତି ଯେ ଝୁନଝୁନୱାଲା ଅନିୟନ୍ତ୍ରିତ ଡାଇବେଟିସ୍‌ ଓ କିଡ୍‌ନି ରୋଗରେ ପୀଡ଼ିତ ଥିଲେ। ଦୁବାଇରେ ରହୁଥିବା ତାଙ୍କ ଭାଇ ଆସିବା ପରେ ମୁମ୍ବାଇର ବଙ୍ଗଙ୍ଗା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛି।

ତାଙ୍କ ମୃତ୍ୟ ଖବର ପ୍ରଚାର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାକେଶ ଝୁନଝୁନୱାଲା ଥିଲେ ଅଦମ୍ୟ। ଆର୍ଥିକ ଦୁନିଆଙ୍କୁ ତାଙ୍କ ଯୋଗଦାନ ଅବିସ୍ମରଣୀୟ। ଭାରତର ପ୍ରଗତି ପାଇଁ ସେ ଅତ୍ୟନ୍ତ ଅଭିଳାଷୀ ଥିଲେ। ତାଙ୍କ ପରଲୋକ ଅତ୍ୟନ୍ତ ଦୁଃଖଦାୟକ। ମୁଁ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି।

ଭାରତର ୱାରେନ୍ ବଫେ ଭାବେ ସେ ଜଣାଶୁଣା ଥିଲେ। ସେୟାର ଚୟନ କରିବାର ଚମତ୍କାର ଦକ୍ଷତା ଯୋଗୁଁ ଖୁବ୍‌କମ୍ ଦିନ ଭିତରେ ସେ ଜଣେ ବିଶିଷ୍ଟ ନିବେଶକରେ ପରିଣତ ହୋଇଥିଲେ। ୧୯୮୦ର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଷ୍ଟକ ବଜାରରେ ପ୍ରବେଶ କରିଥିଲେ। ରେୟାର ଏଣ୍ଟରପ୍ରାଇଜେସ୍‌ ନାମକ ସମ୍ପତ୍ତି ପରିଚାଳନା କଂପାନି ଦ୍ବାରା ସେ ଷ୍ଟକ୍ କାରବାର କରୁଥିଲେ। ସେ ସ୍ଥାପନ କରିଥିବା ବିମାନ କଂପାନି ଆକାଶ ଏୟାର କିଛି ଦିନ ପୂର୍ବେ ଉଡ଼ାଣ ଆରମ୍ଭ କରିଥିଲା। ଶେଷ ଥର ପାଇଁ ସେହି ଉଡ଼ାଣ କାର୍ଯ୍ୟକ୍ରମରେ ତାଙ୍କୁ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିଥିଲା।

Business Today

ସେ କିଛି ଦିନ ପୂର୍ବେ ଅସୁସ୍ଥ ଥିଲେ। ଯାଞ୍ଚ ପାଇଁତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ରବିବାର ସକାଳେ ହଠାତ୍‌ ତାଙ୍କ ମୃତ୍ୟୁ ଶୁଣି ନିବେଶକ ଜଗତ ସ୍ତବ୍ଧ ହୋଇଯାଇଥିଲେ।

ତାଙ୍କର ସବୁଠୁ ବଡ଼ ସମ୍ବଳ ଥିଲା ସକାରାତ୍ମକ ମନୋଭାବ। ଭାରତୀୟ ଅର୍ଥନୀତି ଓ ବଜାର ଦୀର୍ଘମିଆଦୀ ଭିତ୍ତିରେ ଭଲ ପ୍ରଦର୍ଶନ କରିବ ବୋଲି ସେ ନିଶ୍ଚିତ ଥିଲେ। ଲମ୍ବା ସମୟର ନିବେଶ ପାଇଁ ପରିଚିତ ଥିଲେ। କିଛି କଂପାନିର ସେୟାରକୁ ସେ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ପାଖରେ ରଖିଥିଲେ। ଦେଶର ଖୁଚୁରା ନିବେଶକଙ୍କୁ ସେ ବହୁ ମାତ୍ରାରେ ଅନୁପ୍ରାଣିତ କରିଥିଲେ।

୧୯୬୦ରେ ଜନ୍ମଗ୍ରହଣ କରିଥିବା ଝୁନଝୁନୱାଲା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଥିଲେ। ୧୯୮୫ରେ ୫୦୦୦ ଟଙ୍କାରୁ ସେ ନିବେଶ ଆରମ୍ଭ କରିଥିଲେ। ସେତେବେଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧୫୦ ପଏଣ୍ଟ୍‌ରେ ଥିଲା। ସେନ୍‌ସେକ୍ସ ସହ ସେ ଆଗକୁ ବଢ଼ିଥିଲେ। ସେନ୍‌ସେକ୍ସ ୬୦ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଥିବା ବେଳେ ଝୁନଝନୱାଲା ନିବେଶରୁ ପ୍ରାୟ ୪୬ ହଜାର କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଫୋର୍ବସ ଅନୁସାରେ ସେ ହେଉଛନ୍ତି ଭାରତର ୩୬ତମ ବଡ଼ ଧନୀ। ମୋଟ ୪୭ଟି କଂପାନିରେ ତାଙ୍କର ଅଂଶଧନ ଅଛି। ଷ୍ଟାର ହେଲ୍‌ଥ, ଟାଇଟାନ, ରାଲିସ୍‌ ଇଣ୍ଡିଆ, ଏସ୍‌କର୍ଟସ୍‌, କାନାରା ବ୍ୟାଙ୍କ, ଇଣ୍ଡିଆନ ହୋଟେଲ୍‌ସ କଂପାନି, ଆଗ୍ରୋ ଟେକ୍ ଫୁଡ୍‌ସ, ନାଜାରା ଟେକ୍ନୋଲୋଜି, ଟାଟା ମୋଟର୍ସ, ମେଟ୍ରୋ ବ୍ରାଣ୍ଡ୍, ହଙ୍ଗାମା ମିଡିଆ ଭଳି ସଂସ୍ଥାରେ ତାଙ୍କର ଅଂଶଧନ ରହିଛି।

ସମ୍ବନ୍ଧିତ ଖବର