ବଲିଉଡ୍‌ରେ ଦୁଷ୍କର୍ମ ହୁଏ ନାହିଁ; ଯାହା ବି ସଂପର୍କ ହୁଏ, ସେସବୁ ସହମତିରେ, ସ୍ୱେଚ୍ଛାରେ

କାଷ୍ଟିଂ କାଉଚ୍‌ ସଂପର୍କରେ ମୁହଁ ଖୋଲିଲେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ

ମୁମ୍ବାଇ: ବଲିଉଡ୍‌ରେ ଚାଲିଥିବା କାଷ୍ଟିଂ କାଉଚ୍‌ ସଂପର୍କରେ ଏଇ ନିକଟ ଅତୀତରେ ନୃତ୍ୟ ନିର୍ଦ୍ଦେଶିକା ସରୋଜ୍‌ ଖାନ୍‌ ଦେଇଥିବା ଏକ ବୟାନ ଦେଶ ବ୍ୟାପି ଆଲୋଡ଼ନ ଓ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ, ଏବେ ଏଥିରେ ଘିଅ ଢ଼ାଳିଛନ୍ତି, ବଲିଉଡ୍‌ର ଅନ୍ୟତମ ବିତର୍କିତ ଓ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ। ରାକ୍ଷୀ କହିଛନ୍ତି କାଷ୍ଟିଂ କାଉଚ୍‌ ମାମଲାରେ ସରୋଜ୍‌ ଖାନ୍‌ କିଛି ଭୁଲ୍‌ କଥା କହିନାହାନ୍ତି। ଖାଲି, ଏକ ଅପ୍ରିୟ ସତକୁ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି। ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ ପରମ୍ପରା ବହୁ ପୁରୁଣା। ଏହା କେଉଁ ଅନାଦି କାଳରୁ ଚାଲି ଆସିଛି ଏବଂ ଏ ଏବେବି ଚାଲିଛି। ଏଥିରେ ନୂତନତ୍ୱ କିମ୍ବା ଆଶ୍ଚର୍ଯ୍ୟ ହେଲା ପରି କିଛି ହେଲେ ନାହିଁ ବୋଲି କହିଛନ୍ତି ରାକ୍ଷୀ।

ରାକ୍ଷୀ ସ୍ୱୀକାର କରି କହିଛନ୍ତି, ‘ମୁଁ ବି ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଛି। ବଲିଉଡ୍‌ରେ ପାଦ ଥାପିବାକୁ ଯେତେବେଳେ ମୁଁ ସଂଗ୍ରାମ କରୁଥିଲି ସେତେବେଳେ ମୁଁ ବି କାଷ୍ଟିଂ କାଉଚର ସାମନା କରିଥିଲି। ହେଲେ, ମୋର ପ୍ରତିଭା ଥିଲା। ସେଥିପାଇଁ ମୁଁ ଏହାକୁ ଏଡାଇ ଯାଇ ନିଜ ପ୍ରତିଭା ବଳରେ ପ୍ରତିଷ୍ଠିତ ହେଲି। ୟା’ ବୋଲି ବଲିଉଡ୍‌ର ସବୁ ପ୍ରଯୋଜକ ଓ ନିର୍ଦ୍ଦେଶକ ଯେ ଦୋଷୀ ସେକଥା ମୁଁ କହୁ ନାହିଁ। କିନ୍ତୁ, ଯେତେବେଳେ ଜଣେ ନବାଗତା ଜଣେ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କ ନିକଟକୁ ଆସି କହିବ, ମୋ ସହିତ ଯାହା କରିବା କଥା କରନ୍ତୁ; କିନ୍ତୁ ମୋତେ ଟିକିଏ ସୁଯୋଗ ଦିଅନ୍ତୁ, ସେ କ୍ଷେତ୍ରରେ ସଂପୃକ୍ତ ପ୍ରଯୋଜକ ବା ନିର୍ଦ୍ଦେଶକ କରିବେ କ’ଣ? ସେମାନେ ତ ଆଉ ସାଧୁ ସନ୍ଥ ନୁହନ୍ତି! ସେମାନେ ବି ମଣିଷ! ଏହାର ସୁଯୋଗ ନେଇ ଯଦି କିଛି ହେଲା, ତେବେ ତାକୁ କ’ଣ କୁହାଯିବ?’ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ରାକ୍ଷୀ।

ବିତର୍କିତ ଓ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସ୍ୱୀକାର କରି କହିଛନ୍ତି, ‘ବଲିଉଡ୍‌ରେ ସବୁ କିଛି ହୁଏ। କିନ୍ତୁ, ଦୁଷ୍କର୍ମ ହୁଏ ନାହିଁ। ଯାହା ବି କିଛି ହୁଏ, ସେସବୁ ହୁଏ ସହମତି ଭିତ୍ତିରେ, ସ୍ୱେଚ୍ଛାରେ ଓ ସ୍ୱେଚ୍ଛାକୃତ ଭାବେ। ପ୍ରତିଭାଶୂନ୍ୟ ନବାଗତାମାନେ ଯଦି ସଫଳତା ହାସଲ ପାଇଁ ଏଇ ସଟ୍‌କଟ୍‌ ରାସ୍ତା ବାଛିବେ, ତେବେ ଏଥିରେ ଦୋଷ କାହାର? ପ୍ରଯୋଜକଙ୍କର, ନିର୍ଦ୍ଦେଶକଙ୍କର ନା ସଂପୃକ୍ତା ନବାଗତାର’ ବୋଲି ପଚାରିବା ସହ କାଷ୍ଟିଂ କାଉଚ୍‌ ସଂପର୍କରେ ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ୍‌ ଦେଇଥିବା ମନ୍ତବ୍ୟ ସହ ଏକମତ ଏବଂ ସରୋଜ ଖାଡ଼୍‍ କେବଳ ଏକ ଅପ୍ରିୟ ସତକୁ ସର୍ବସାଧାଣରେ ପ୍ରକାଶ କରି ଦେଇଛନ୍ତି ବୋଲି କହିଛନ୍ତି ରାକ୍ଷୀ ସାଓ୍ଵନ୍ତ।

ସମ୍ବନ୍ଧିତ ଖବର