ହିସାର: ଦେଶରେ ଏମିତି ଅନେକ ଭାଇ ଅଛନ୍ତି, ଯେଉଁମାନେ ସୀମାରେ ଦେଶକୁ ସୁରକ୍ଷା ଦେଉ ଦେଉ ନିଜ ପରିବାରକୁ ବି ପଛ କରିଦିଅନ୍ତି। ଅନେକ ଭଉଣୀ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବାରୁ ବଞ୍ଚିତ ହୁଅନ୍ତି। ଅନେକ ଭାଇ ଚାହିଁ ମଧ୍ୟ ରାକ୍ଷୀଟିଏ ବାନ୍ଧିବାକୁ ଭଉଣୀ ପାଖକୁ ଆସିପାରନ୍ତି ନାହିଁ। ଏମିତି ବି କିଛି ଭାଇ ଅଛନ୍ତି, ଯିଏ ଦେଶ ସେବା କରୁ କରୁ ସହିଦ ହୋଇ ଯାଇଛନ୍ତି।
ଆମେ କହୁଛୁ ସହିଦ ନିଶାନ୍ତ ମଲ୍ଳିକଙ୍କ ବିଷୟରେ। ଯିଏକି ଗତବର୍ଷ ଅଗଷ୍ଟ ୧୧ ତାରିଖରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରୁ କରୁ ସହିଦ ହୋଇ ଯାଇଥିଲେ। ଆଜି ରକ୍ଷାବନ୍ଧନ ଅବସରରେ ତାଙ୍କର ୩ ଭଉଣୀ ଭାଇ ବଦଳରେ ଭାଇଙ୍କ ପ୍ରତିମୂର୍ତ୍ତିର ମଥାରେ ତିଳକ ଲଗାଇ ଲୁହ ଭରା ଆଖିରେ ହାତରେ ରାକ୍ଷୀ ବାନ୍ଧିଛନ୍ତି।
ସେମାନେ ରାକ୍ଷୀ ଅବସରରେ ନିଜ ଗାଁ ସ୍କୁଲ୍ରେ ଥିବା ଭାଇର ପ୍ରତିମୂର୍ତ୍ତି ପାଖକୁ ଯାଇଥିଲେ। ଗାଁ ଲୋକଙ୍କ ଉପସ୍ଥିତରେ ୩ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏପରି ଏକ ଦୃଶ୍ୟ ଦେଖିବା ପରେ ସେଠାରେ ଛିଡ଼ା ହୋଇଥିବା ଲୋକଙ୍କ ଆଖିରେ ଭାବପ୍ରବଣତାର ଲୁହ ଆସି ଯାଇଥିଲା।
ସେମାନେ ନିଶାନ୍ତଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବା ସହ ସେଠାରେ ଛିଡ଼ା ହୋଇ ଫଟୋ ବି ଉଠାଇଥିଲେ। ସବୁ ଜନ୍ମରେ ନିଶାନ୍ତଙ୍କ ପରି ଭାଇଟିଏ ଦିଅନ୍ତୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ବି କରିଥିଲେ।
ତିନି ଉଭଣୀଙ୍କ ବ୍ୟତୀତ ନିଶାନ୍ତଙ୍କ ବାପାମାଆ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମାତ୍ର ୨୧ ବର୍ଷ ବୟସରେ ଦେଶ ପାଇଁ ସହିଦ ହୋଇ ଯାଇଥିବା ନିଶାନ୍ତ ସବୁ ଉଭଣୀଙ୍କଠାରୁ ସାନ ଥିଲେ। ସେ ତାଙ୍କ ଭଉଣୀମାନଙ୍କର ଏକମାତ୍ର ଭାଇ ଥିଲେ।