ହାଇଦ୍ରାବାଦ: ବଲିଉଡ୍ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ ଭାଇ ଅମନପ୍ରୀତ ସିଂହ ଓ ଅନ୍ୟ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଡ୍ରଗ୍ସ ମାମଲାରେ ଗିରଫ କରିଛି। ପୁଲିସ୍ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ତେଲେଙ୍ଗାନା ଆଣ୍ଟି ନାର୍କୋଟିକ୍ସ ବିଭାଗ ହାଇଦ୍ରାବାଦକୁ ୨.୬ କେଜି କୋକେନ୍ ବିକ୍ରି ପାଇଁ ଚୋରା ଚାଲାଣ ହେଉଥିବା ଜାଣିବା ପରେ ଅନ୍ୟ ଅଭିଯୁକ୍ତଙ୍କ ସହ ଅମନଙ୍କୁ ଗିରଫ କରାଯାଇଥିଲା।
ଅମନ ପ୍ରୀତ ସିଂହ, ଅନିକେତ ରେଡ୍ଡୀ, ପ୍ରସାଦ, ମଧୁସୂଦନ ଓ ନିଖିଲ ଦାମନ ନାମକ ୫ ଜଣ ଅଭିଯୁକ୍ତ ଏବେ ପୁଲିସ ହେପାଜତରେ ଅଛନ୍ତି ଏବଂ ଡାକ୍ତରୀ ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ରାଜେନ୍ଦ୍ର ନଗର ଜୋନର ସାଇବରାବାଦ ପୁଲିସର ଡିସିପି ଶ୍ରୀନିବାସ କହିଛନ୍ତି, ଡ୍ରଗ୍ସ ଗ୍ରାହକ ଭାବେ ଆମେ ୫ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲୁ। ପରିସ୍ରା ପରୀକ୍ଷା କିଟ୍ ରେ ସମସ୍ତେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସମସ୍ତଙ୍କୁ ଅଟକ ରଖାଯାଇଛି। ଏବେ ଆମେ ତାଙ୍କୁ ବିସ୍ତୃତ ଡାକ୍ତରୀ ପରୀକ୍ଷା ପାଇଁ ପଠାଉଛୁ।
୨୦୨୨ ଓ ୨୦୨୧ ଡ୍ରଗ୍ସ ଚୋରା ଚାଲାଣ ଓ ବ୍ୟବହାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ରକୁଲ ପ୍ରୀତ ସିଂହଙ୍କୁ ମଧ୍ୟ ସମନ କରିଛି। ଗତବର୍ଷ ମଧ୍ୟ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ତାଙ୍କ ବୟାନ ରେକର୍ଡ କରିଥିଲା।