ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ବିରୋଧରେ ଗତକାଲି ଏକ ବିଶାଳ ବିକ୍ଷୋଭ ସମାବେଶ ହୋଇଥିବା ବେଳେ ଏହାକୁ ରାଜ୍ୟ ସରକାର ଆଜି ବେଆଇନ ଦର୍ଶାଇଛନ୍ତି ଏବଂ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିକ୍ଷୋଭର ସମସ୍ତ ମୁଖ୍ୟ ସଂଚାଳକମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଗତକାଲି ଭୋପାଳର କଂଗ୍ରେସ ବିଧାୟକ ଆରିଫ୍ ମାସୁଦ୍ଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ମୁସ୍ଲିମ୍ ବିକ୍ଷୋଭକାରୀ ଏକତ୍ର ହୋଇ ମାକ୍ରନ୍ଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ଭୋପାଳର ଐତିହାସିକ ଇକ୍ବାଲ ମୈଦାନରେ ଏହି ଫ୍ରାନ୍ସ ବିରୋଧୀ ସମାବେଶ ଅନୁଷ୍ଠିତ ହୋଇଥିଲା ମହାପୁରୁଷ ମହମ୍ମଦଙ୍କୁ ଅପମାନିତ କରିଥିବା ମାକ୍ରନ୍ଙ୍କ ଧ୍ବଂସର ଦିନ ଆସୁଛି ବୋଲି ବିକ୍ଷୋଭକାରୀମାନେ କହିଥିଲେ। ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଧରି ‘ମହାପୁରୁଷ ମହମ୍ମଦ ଆମର ସମ୍ମାନ’ ଏବଂ ‘ଫ୍ରାନ୍ସ ଆତ୍ମ ବିନାଶ ଆଡକୁ ଗତି କରୁଛି’ ବୋଲି ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀମାନେ ଭୂମି ଉପରେ ଲଗାଯାଇଥିବା ମାକ୍ରନ୍ଙ୍କ ‘ସଇତାନ’ ପୋଷ୍ଟର ଉପରେ ଦଳାଚକଟା କରିଥିଲେ। ତେବେ ବିକ୍ଷୋଭ ସମୟରେ ଆଇନ ଅମାନ୍ୟ କରିଥିବା ଅଭିଯୋଗରେ ପୁଲିସ ବିଧାୟକ ମାସୁଦ୍ଙ୍କ ସମେତ ମୋଟ ୨୦୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ପ୍ରସଙ୍ଗରେ କହିଛନ୍ତି, ରାଜ୍ୟରେ ଶାନ୍ତି ନଷ୍ଟ କରିବା ପାଇଁ କୌଣସି ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ ଏବଂ କେହି ବି ହିଂସା ସୃଷ୍ଟି କଲେ ନିସ୍ତାର ପାଇବେ ନାହିଁ।
ଭୋପାଳ କଂଗ୍ରେସ ବିଧାୟକ ମାସୁଦ୍ ଲୋକଙ୍କୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ତତାଇ ହିଂସା ସୃଷ୍ଟି ପାଇଁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଇସ୍ଲାମିକ୍ ବିଚ୍ଛିନ୍ନତାବାଦ ବିରୋଧରେ କଡ଼ା ଟିପ୍ପଣୀ ଦେବା ଏବଂ ମହାପୁରୁଷ ମହମ୍ମଦଙ୍କ କାର୍ଟୁନ୍ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିବାରୁ ମୁସ୍ଲିମ ରାଷ୍ଟ୍ର ଓ ସଂଗଠନମାନେ ମାକ୍ରନଙ୍କୁ ବିରୋଧ କରୁଛନ୍ତି। ଫ୍ରାନ୍ସର ନାଇସ ସହରରେ ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହେବା ସାଙ୍ଗକୁ ଜଣେ ଆତଙ୍କବାଦୀମାନେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡ କାଟି ଦେଇଥିଲେ। ଶିକ୍ଷୟିତ୍ରୀଙ୍କୁ ଶଦ୍ଧାଞ୍ଜଳି ଅର୍ପଣ କରି ମହାପୁରୁଷ ମହମ୍ମଦଙ୍କ କାର୍ଟୁନ୍କୁ ମାକ୍ରନ ସମର୍ଥନ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/France-Muhammad-Cartoon-Row-Protest-in-Bhopal-against-French-President.jpg)