ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଚାଷୀମାରଣା ନୀତିକୁ ବିରୋଧ କରି ଆଜି ଦିଲ୍ଲୀର ଜନ୍ତର ମନ୍ତରଠାରେ ଅଖିଳ ଭାରତୀୟ କିଷାନ କଂଗ୍ରେସ ପକ୍ଷରୁ ଆକ୍ରୋଶ ପ୍ରଦର୍ଶନ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ନେତାମାନେ ଏକତ୍ରିତ ହୋଇ ସରକାରଙ୍କ ଚାଷୀ ବିରୋଧି ନୀତିକୁ ସମାଲୋଚନା କରିଥିଲେ।
ରାଲିରେ ଯୋଗ ଦେଇଥିବା ନେତାମାନେ ଅଭିଯୋଗ କରିଥିଲେ ଯେ ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ଆଠ ବର୍ଷ ପୂର୍ବେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ସୁଦ୍ଧା ବି ପୂରଣ ହୋଇନାହିଁ। ଦିନକୁ ଦିନ ଚାଷୀମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସ୍ବାମୀନାଥନ୍ କମିସନଙ୍କ ସୁପାରିସ ଅନୁସାରେ ଏମ୍ଏସ୍ପିର ଦର ବୃଦ୍ଧି କରାଯିବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯିବା, ଚାଷୀମାନଙ୍କ ଋଣ ଛାଡ଼କରିବା ପାଇଁ ଆଜିର ଆକ୍ରୋଶ ରାଲିରେ ଦାବି କରାଯାଇଥିଲା ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।