ଅଗଷ୍ଟ ୩ କିମ୍ବା ୫ରେ ହୋଇପାରେ ରାମ ମନ୍ଦିର ପାଇଁ ଭୂମିପୂଜା, ମୋଦୀଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । କରୋନା ମହାମାରୀ ଯୋଗୁଁ ବିଳମ୍ବିତ ହୋଇଥିବା ଭୂମିପୂଜା ପାଇଁ ଦୁଇଟି ନୂଆ ତାରିଖ ଆପାତଃ ସ୍ଥିର ହୋଇଛି । ଏହା ଅଗଷ୍ଟ ୩ କିମ୍ବା ୫ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରାଯାଇଛି । ମୋଦୀ ନିଜ ସୁବିଧା ଅନୁସାରେ ଏହି ଦୁଇଟି ତାରିଖ ମଧ୍ୟରୁ ଗୋଟିକୁ ବାଛିପାରିବେ ବୋଲି  ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଆସନ୍ତା ୩ ତାରିଖ ଶ୍ରାବଣ ପୂର୍ଣ୍ଣିମା ଥିବାବେଳେ ୫ ତାରିଖରେ ମଧ୍ୟ ଶୁଭବେଳା ରହିଛି । ଏଣୁ ଏହି ଦୁଇଟି ତାରିଖକୁ ବଛାଯାଇଛି ।

ଟ୍ରଷ୍ଟର ମହାସଚିବ ଚମ୍ପକ ରାୟ କହିଛନ୍ତି ଯେ ଆସନ୍ତା ସାଢେ ୩ ବର୍ଷରେ ମନ୍ଦିର ନିର୍ମାଣ କାମ ସାରିବାକୁ ନିଷ୍ପତ୍ତି ହୋଇଛି ।

ଗତ ୧୦ ତାରିଖରେ ରାମ ଜନ୍ମଭୂମି ପରିସରରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ ସହ ମନ୍ଦିର ନିର୍ମାଣ ପ୍ରକ୍ରିୟାର ଶାସ୍ତ୍ରୀୟ ଶୁଭାରମ୍ଭ କରାଯାଇଥିଲା । ଏଥିରେ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ପୌରୋହିତ୍ୟ କରିଥିଲେ । ଏହା ପରେ ଜୁଲାଇ ୨ ଦେବଶୟନୀ ଏକାଦଶୀ ଉପଲକ୍ଷେ ଭୂମିପୂଜା ପାଇଁ ଶୁଭଦିନ ନିର୍ଦ୍ଧାରଣ କରାଯାଇଥିଲା । ଗତ ମାର୍ଚ୍ଚମାସରେ ରାମଲାଲାଙ୍କୁ ଜନ୍ମଭୂମି ପରିସରରୁ ହଟାଇ ଏକ ଅସ୍ଥାୟୀ ସ୍ଥାନକୁ ନିଆଯାଇଥିଲା । ଏହା ପରେ ସଂପୃକ୍ତ ଭୂମିର ସମତଳିକରଣ କାର୍ଯ୍ୟ କରାଯାଇଥିଲା ।

ସମ୍ବନ୍ଧିତ ଖବର