୨୬ରେ ସୁପ୍ରିମକୋର୍ଟରେ ରାମଜନ୍ମଭୂମି ବାବରୀ ମସଜିଦର ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସନ୍ତା ୨୬ ତାରିଖର ରାଜନୈତିକ ଦୃଷ୍ଟିକୋଣରୁ ଅତି ସଂବେଦନଶୀଳ ମାମଲା ରାମଜନ୍ମଭୂମି ବାବରୀ ମସଜିଦର ଶୁଣାଣି ଆରମ୍ଭ କରିବେ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ଜଷ୍ଟିସ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ବୋବଡେ, ଡିଓ୍ବାଇ ଚନ୍ଦ୍ରଚୂଡ, ଅଶୋକ ଭୂଷଣ ଓ ଏସଏ ନାଜିର ମଧ୍ୟ ସଦସ୍ୟ ଅଛନ୍ତି ।
ଗତ ଜାନୁୟାରୀ ୨୯ରେ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇଦିଆଯାଇଥିଲା । କିନ୍ତୁ କୌଣସି ତାରିଖ ଘୋଷଣା କରାଯାଇନଥିଲା ।
୨୦୧୮ ଅକ୍ଟୋବରରେ ଶୁଣାଣି ହେବାକୁ ଥିବା ରାମ ଜନ୍ମଭୂମୀ-ବାବ୍ରୀ ମସଜିଦ୍ ମାମଲାର ଶୁଣାଣି ଘୁଞ୍ଚିଘୁଞ୍ଚି ଚାଲିଛି । ଜାନୁଆରି ୪ ତାରିଖରେ ମୁଖ୍ୟବିଚାରପତି ଗୋଗୋଇ ଏହି ମାମଲାର ବିଚାର ଲାଗି ଏକ ଖଣ୍ଡପୀଠ ଗଠନ କରିଥିଲେ। କିନ୍ତୁ ଜାନୁୟାରୀ ୧୦ ତାରିଖରେ ଜଷ୍ଟିସ୍ ୟୁ.ୟୁ ଲଲିତ ବିଚାରରୁ ଓହରି ଯିବାକୁ ଇଚ୍ଛାପ୍ରକାଶ କରିଥିଲେ। କାରଣ ୨୦ ବର୍ଷ ପୂର୍ବରୁ ସେ ଏହି ମାମଲାରେ ଗୋଟିଏ ପକ୍ଷର ଓକିଲ ଭାବେ କାର୍ଯ୍ୟ କରିଥିଲେ।
ରାମ ଜନ୍ମଭୂମି ବାବ୍ରି ମସଜିଦ୍ ବିବାଦ ବିଗତ କିଛି ଦଶନ୍ଧୀ ଧରି ଲଟକି ରହିଛି। ୬, ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ୍କୁ ଭାଙ୍ଗି ଦିଆଯାଇଥିଲା। ଏ ବାବଦରେ ଅପରାଧିକ ମାମଲା ସହିତ ଜମିଜମା ମକଦମା ମଧ୍ୟ ଚାଲିଛି। ମୂଳ ବିବାଦ ସହିତ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର