ରାମ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ : ଖ୍ୟାତନାମା ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଆସନ୍ତା ୧୪ ତାରିଖରେ ‌ତାଙ୍କର ୯୬ତମ ଜନ୍ମଦିନ ପାଳନ ହୋଇଥାନ୍ତା। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ଓ ଆଇନଜୀବୀ ଶୋକ ପ୍ରକାଶ କରିଛନ୍ତି।

କିଛି ମାସ ଧରି ସେ ଅସୁସ୍ଥ ଥିଲେ। ଗତ ଦୁଇ ସପ୍ତାହ ହେଲା ତାଙ୍କର ଅବସ୍ଥାରେ ଅବନତି ଘଟିଥିଲା। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ପୁଅ ଓ ଜଣେ ଝିଅର ମୃତ୍ୟୁ ହୋଇସାରିଛି। ପୁଅ ମହେଶ ପେସାରେ ଜଣେ ଆଇନଜୀବୀ।

ଆଜି ସକାଳ ୭ଟା ୪୫ ମିନିଟରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ରାମ ଜେଠମଲାନୀଙ୍କର ମୃତ୍ୟୁ ହୋଇଯାଇଛି ବୋଲି ପୁଅ ମହେଶ ସୂଚନା ଦେଇଛନ୍ତି।

ଦିଲ୍ଲୀର ଲୋଧି ରୋଡ୍ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜେଠମଲାନୀ ଆଇନ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ରହିଥିଲେ। ମୁମ୍ବାଇ ଆସନରୁ ସେ ବିଜେପି ଟିକଟରେ ଷଷ୍ଠ ଏବଂ ସପ୍ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଜେଠମଲାନୀଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭାରତ ଜଣେ ଅନନ୍ୟ ଆଇନଜୀବୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଲା। ଅଦାଲତ ଏବଂ ସଂସଦ ପ୍ରତି ତାଙ୍କର ବିଶେଷ ଅବଦାନ ରହିଥିଲା। ସେ ଜଣେ ଜ୍ଞାନୀ, ସାହସୀ ବ୍ୟକ୍ତି ଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ବିଟ୍‌ରେ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଜେଠମଲାନିଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଜେଠମଲାନୀଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସମ୍ବନ୍ଧିତ ଖବର