୨୦୨୦ ଏପ୍ରିଲ୍‌ରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ ! ଟ୍ରଷ୍ଟ୍‌ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୨୦୨୦ ଏପ୍ରିଲ୍‌ ବେଳକୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଗୁଜରାଟର ସୋମନାଥ ମନ୍ଦିର ଟ୍ରଷ୍ଟ ଭଳି ବହୁ ସଦସ୍ୟଙ୍କୁ ନେଇ ରାମ ମନ୍ଦିର ଟ୍ରଷ୍ଟ ଗଠନ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହି ଟ୍ରଷ୍ଟ ମାର୍ଫତରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସୋମନାଥ ମନ୍ଦିର ଟ୍ରଷ୍ଟରେ ୬ ଜଣ ସଦସ୍ୟ ଥିଲାବେଳେ ରାମ ମନ୍ଦିର ଟ୍ରଷ୍ଟରେ ୧୪ରୁ ୧୭ ଜଣ ସଦସ୍ୟ ରହିବେ। ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳର ସଦସ୍ୟମାନେ ଏହି ଟ୍ରଷ୍ଟରେ ସାମିଲ ହେବେ ବୋଲି କେନ୍ଦ୍ର ସରକାର ବିଚାର କରୁଛନ୍ତି। ଟ୍ରଷ୍ଟର ସଦସ୍ୟ କିଏ ରହିବେ ତାହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥିର କରିବ। ଟ୍ରଷ୍ଟର ଚୂଡ଼ାନ୍ତ ତାଲିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏହି ଟ୍ରଷ୍ଟର ପଞ୍ଜୀକରଣ ହେବ।

ତେବେ ଟ୍ରଷ୍ଟ ଗଠନରେ ସରକାର ମୁଣ୍ଡ ନ ପୂରାଇ ଦେଶବାସୀଙ୍କ ଉପରେ ତାହା ଛାଡ଼ିବାକୁ ବିଶ୍ବହିନ୍ଦୁ ପରିଷଦ ମତବ୍ୟକ୍ତ କରିଛି। ଆବଶ୍ୟକ ସ୍ଥଳେ ମନ୍ଦିର ପାଇଁ ଆହୁରି ଅଧିକ ଜମି ଅଧିଗ୍ରହଣ କରାଯିବ ବୋଲି ବିଶ୍ବହିନ୍ଦୁ ପରିଷଦର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି। ରାମ ମନ୍ଦିରକୁ କେନ୍ଦ୍ର କରି ୩୮୮ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି। ଅଯୋଧ୍ୟାକୁ ସ୍ମାର୍ଟ ସିଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହାକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବାକୁ ଉଭୟ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାର ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର