ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଅଯୋଧ୍ୟାରେ ରାମମନ୍ଦିରର ‘ପ୍ରାଣପ୍ରତିଷ୍ଠା’ ବା ସଂସ୍କାର ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଶାସକ ବିଜେପି ଦ୍ୱାରା ‘ଦିବ୍ୟ ସ୍ୱପ୍ନ ପୂରଣ’ ଭାବରେ ଉପସ୍ଥାପିତ କରିବେ। ଏହାକୁ କେନ୍ଦ୍ର କରି ଅଯୋଧ୍ୟା ସହର ଓ ଏହାର ଆଖପାଖ ଅଞ୍ଚଳରେ ନୂତନ ବିମାନବନ୍ଦର ଏବଂ ଏକ ନବୀକୃତ ରେଳ ଷ୍ଟେସନ ଇତ୍ୟାଦି ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟନ କରାଯାଇଥିବା ନେଇ ସୂଚନା ଦେବେ। ଭବ୍ୟ ରାମମନ୍ଦିର ଅଯୋଧ୍ୟା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରିତଙ୍କ ତାଲିକା ବହୁତ ଲମ୍ବା - ୧୦,୦୦୦ରୁ ଅଧିକ ବୋଲି କୁହାଯାଉଛି। କିନ୍ତୁ ଏହା ସ୍ୱତନ୍ତ୍ର; ବାସ୍ତବରେ ଏହା ଏତେ ଚୟନକୃତ (ସିଲେକ୍ଟିଭ୍) ଯେ ଏଥିରେ ଯୋଗୀ ଆଦିତ୍ୟନାଥଙ୍କ ଛଡ଼ା ବିଜେପିର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଛି। ତେବେ ଏଥିରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବରିଷ୍ଠ ବିରୋଧୀ ଦଳ ନେତାମାନେ ଉପସ୍ଥିତ ରହିବେ ନାହିଁ।
ଏହି ‘ପ୍ରାଣପ୍ରତିଷ୍ଠା’କୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରତିକ୍ରିୟା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏକ ଧାର୍ମିକ କାର୍ଯ୍ୟକ୍ରମର ରାଜନୀତୀକରଣ କରିଥିବାରୁ ସେମାନେ ବିଜେପିକୁ ସମାଲୋଚନା କରିଛନ୍ତି। ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ ବୋଲି କହି କଂଗ୍ରେସ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲା। ସାଂସଦ ରାହୁଲ ଗାନ୍ଧି ମଙ୍ଗଳବାର ଏହାକୁ ‘ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ’ ବୋଲି କହିଛନ୍ତି। ବିଜେପିର ପରମ ଶତ୍ରୁ ମମତା ବାନାର୍ଜୀ ଧର୍ମ-ରାଜନୀତି ଭିତରେ ଥିବା ବିଭାଜନକୁ ମଧ୍ୟ ସୂଚାଇଥିଲେ। ଏନ୍ସିପି ମୁଖ୍ୟ ଶରଦ ପାୱାର, ଆର୍ଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ଶିବସେନା ନେତା ଉଦ୍ଧବ ଠାକରେ ମଧ୍ୟ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ନିଜର ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ନିର୍ମାଣାଧୀନ ମନ୍ଦିର ପ୍ରତିଷ୍ଠା ପାଇଁ ତତ୍ପରତା ଦେଖାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବିରୋଧୀମାନେ ଜାଣିଛନ୍ତି ଯେ ସେ ପ୍ରାଣପ୍ରତିଷ୍ଠା ବା ରାମମନ୍ଦିରକୁ ସେମାନେ ସମ୍ପୂର୍ଣ୍ଣ ଅଣଦେଖା କରିପାରିବେ ନାହିଁ। ଏପରି କରିବା ଦ୍ୱାରା ବହୁ ଭୋଟରଙ୍କ ସମର୍ଥନ ହରାଇବେ। ତେଣୁ କଂଗ୍ରେସ, ଶ୍ରୀମତୀ ବାନାର୍ଜୀ, ଶ୍ରୀ ଠାକରେ ଏବଂ ଅନ୍ୟମାନେ ଜାନୁଆରି ୨୨ ତାରିଖରେ ନିଜସ୍ୱ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।
ମମତା ବାନାର୍ଜୀଙ୍କ କାଳିଘାଟ ଗସ୍ତ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ‘ବିଭିନ୍ନ ମନ୍ଦିର’ ବିଷୟରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଖାରଜ କରି କହିଛନ୍ତି, ଏ ବିଷୟରେ ମୋର କିଛି କହିବାର ନାହିଁ ... ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ। ତେବେ ଜାନୁଆରି ୨୨ରେ କୋଲକାତା ନିକଟସ୍ଥ କାଳିଘାଟ ମନ୍ଦିରକୁ ଯାଇ ସାମ୍ପ୍ରଦାୟିକ ସଦ୍ଭାବନା ରାଲି କରିବେ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧିଙ୍କ ଆସାମ ମନ୍ଦିର ଯୋଜନା
ଗତବର୍ଷ ତେଲେଙ୍ଗାନା ଓ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସକୁ ବିଜୟୀ କରାଇବାରେ ସହାୟକ ହୋଇଥିବା ଭାରତ ଯୋଡୋ ଯାତ୍ରାର ଅନୁସରଣ କରି ରାହୁଲ ଗାନ୍ଧି ତାଙ୍କର ଦ୍ବିତୀୟ ଯାତ୍ରା - ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଛନ୍ତି। ଜାନୁଆରି ୨୨ରେ ସେ ଆସାମରେ ରହିବେ ଏବଂ ଦିନର କାର୍ଯ୍ୟକଳାପ ଭିତରେ ଏକ ମନ୍ଦିର ପରିଦର୍ଶନ କରିବେ।
ପରେ ଆସିବେ ଶରଦ ପାୱାର ଓ ଅଖିଳେଶ ଯାଦବ
ଶ୍ରୀ ପାୱାର ଏହି ଐତିହାସିକ କାର୍ଯ୍ୟକ୍ରମ ପରେ ଦର୍ଶନ କରିବା ସହଜ ହେବ ବୋଲି କହି ଜାନୁଆରି ୨୨ରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ସେତେବେଳକୁ ରାମମନ୍ଦିର ନିର୍ମାଣ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବ ବୋଲି ସେ କହିଛନ୍ତି।
ଅରବିନ୍ଦ କେଜ୍ରିୱାଲଙ୍କ ହନୁମାନ ଚାଲୀସା ପାଠ
ଆପ୍ ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ। କିନ୍ତୁ ଜାତୀୟ ରାଜଧାନୀରେ ସେ ରାମାୟଣର ‘ସୁନ୍ଦରାକାଣ୍ଡ’ ଏବଂ ‘ହନୁମାନ ଚାଲୀସା’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।
ଉଦ୍ଧବ ଠାକରେଙ୍କ ‘ମହା ଆରତି’
ଗତବର୍ଷ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ବିଭାଜନ ପରେ ଶିବସେନାକୁ ପୁଣି ଥରେ ଏକାଠି କରିବା ପାଇଁ ଲଢ଼ୁଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ। ତେବେ ସେ ଓ ତାଙ୍କ ଦଳର ନେତାମାନେ ଜାନୁଆରି ୨୨ ତାରିଖରେ ନାସିକର କାଳରାମ ମନ୍ଦିରକୁ ଯାଇ ‘ମହା ଆରତି’ କରିବେ ବୋଲି ଶ୍ରୀ ଠାକରେ କହିଛନ୍ତି।
ଲାଲୁ ଯାଦବ, ଡିଏମ୍କେ ଓ ବାମପନ୍ଥୀ ଦଳକୁ ନିମନ୍ତ୍ରଣ
ବିହାରର ଶାସକ ମେଣ୍ଟରେ ଥିବା ଆର୍ଜେଡିର ଲାଲୁ ପ୍ରସାଦ ଯାଦବ ବୁଧବାର କହିଛନ୍ତି ଯେ, ସେ ମଧ୍ୟ ଏଥିରେ ଯୋଗ ଦେବେ ନାହିଁ। ତାମିଲନାଡୁର ଶାସକ ଡିଏମ୍କେ ନିର୍ବାଚନ ପୂର୍ବରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ରାଜନୀତୀକରଣ କରିଥିବାରୁ ବିଜେପିକୁ ସମାଲୋଚନା କରିସାରିଛି। ସିପିଆଇଏମ୍ ନେତୃତ୍ବାଧୀନ ବାମପନ୍ଥୀମାନେ ପ୍ରଥମ ବିରୋଧୀ ଦଳ ଭାବେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଗତମାସ ପ୍ରାରମ୍ଭରେ ସିପିଆଇଏମ୍ର ବୃନ୍ଦା କରାତ କହିଥିଲେ ଯେ ତାଙ୍କ ଦଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେବ ନାହିଁ।