ବିଚାରପତିଙ୍କୁ ବିଚାରପତି ନିଯୁକ୍ତ କରିବା ପରମ୍ପରା ବଦଳିବା ଉଚିତ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାମ୍ପ୍ରତିକ କଲେଜିୟମ୍ ବ୍ୟବସ୍ଥାରେ ବିଚାରପତିମାନେ ବିଚାରପତିଙ୍କୁ ମନୋନୀତ କରିଥାନ୍ତି। କେନ୍ଦ୍ର ସରକାର ଏହାକୁ ବଦଳାଇବା ପାଇଁ ଏକ ଆଇନ ଆଣିଥିଲେ- ଏନ୍‌ଜେଏସି ଆକ୍ଟ, ଯାହାକୁ ସୁପ୍ରିମ୍‌କୋର୍ଟ ଛଅ ବର୍ଷ ତଳେ ଅଗ୍ରାହ୍ୟ କରିଦେଇଥିଲେ। ସମ୍ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଣି ସେହି କଥାକୁ ଦୋହରାଇଛନ୍ତି। ଶନିବାର ବିଜ୍ଞାନ ଭବନରେ ଅନୁଷ୍ଠିତ ସମ୍ବିଧାନ ଦିବସରେ ଉଦ୍‌ବୋଧନ ଦେଇ କୋବିନ୍ଦ କହିଥିଲେ ଯେ ବିଚାରପତିମାନେ ବିଚାରପତିଙ୍କୁ ବାଛିବା ଏକ ଭୁଲ୍ ପରମ୍ପରା, ଏଥିରେ ସଂସ୍କାର ଅଣାଯିବା ଉଚିତ। ଏକ ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ଉଚ୍ଚସ୍ତରୀୟ ବିଚାରପତି ନିଯୁକ୍ତି କରାଯାଇପାରେ ବୋଲି ସେ ମତ ଦେଇଥିଲେ।

କୋବିନ୍ଦ କହିଥିଲେ ଯେ, ବିଚାରପତି ଚୟନ ପ୍ରକ୍ରିୟାରେ ସଂସ୍କାର ଏକ ଉପଯୁକ୍ତ ପ୍ରସଙ୍ଗ। ବିଚାରବିଭାଗର ସ୍ବାଧୀନତାକୁ କ୍ଷୁଣ୍ଣ ନ କରି ତା’ ଉପରେ ଆଲୋଚନା କରାଯିବା ଉଚିତ। ବିଚାର ବିଭାଗର ସ୍ବାଧୀନତାକୁ କ୍ଷୁଣ୍ଣ ନ କରି ବିଚାରପତି ଚୟନ ପ୍ରକ୍ରିୟାକୁ ଆହୁରି ଭଲ କରାଯାଇପାରେ। ପ୍ରଧାନ ବିଚାରପତି ଏନ୍‌ଭି ରମଣା, ସୁପ୍ରିମ୍‌କୋର୍ଟର ଅନ୍ୟ ବିଚାରପତି ଏବଂ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଏଥିରେ ଯୋଗ ଦେଇ କୋବିନ୍ଦଙ୍କ ଭାଷଣ ଶୁଣିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, ଏକ ସର୍ବଭାରତୀୟ ଜୁଡ଼ିସିଆଲ ସର୍ଭିସ୍‌ ବ୍ୟବସ୍ଥା କରାଯାଇପାରେ। ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ତଳୁ ଉପର ସ୍ତର ପର୍ଯ୍ୟନ୍ତ ବିଚାରପତିମାନଙ୍କୁ ଯୋଗ୍ୟତା ଭିତ୍ତିରେ ଚୟନ କରାଯାଇପାରେ ଏବଂ ପଦୋନ୍ନତି ବି ଦିଆଯାଇପାରେ। ଏ ଚିନ୍ତାଧାରା ନୂଆ ନୁହେଁ, ପ୍ରାୟ ୫୦ ବର୍ଷ ତଳର; କିନ୍ତୁ ଏଯାଏ ତା’ର ପରୀକ୍ଷା କରାଯାଇ ନାହିଁ। ଏହା ଉପରେ ଆଲୋଚନା ହେଲେ ଅଧିକ ଭଲ ପ୍ରସ୍ତାବ ମଧ୍ୟ ମିଳିପାରେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର