ଅଯୋଧ୍ୟା: ଆସନ୍ତା ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶର ୪୫ଟି ପ୍ରାନ୍ତ ଶାଖାରୁ ବିଭିନ୍ନ ଆର୍‌ଏସ୍‌ଏସ୍‌ ଅନୁବନ୍ଧିତ ସଂସ୍ଥାର ପ୍ରାୟ ଏକ ହଜାର ସ୍ୱେଚ୍ଛାସେବୀ ଘରକୁ ଘର ବୁଲି ‘ଅକ୍ଷତ’ ବଣ୍ଟନ କରିବା ସହ ଲୋକଙ୍କୁ ନିଜ ଘର ନିକଟସ୍ଥ ମନ୍ଦିରରେ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ଅନୁରୋଧ କରିବେ। ଆର୍‌ଏସ୍‌ଏସ୍‌, ଭିଏଚ୍‌ପି ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ନେତାମାନେ ନିଜ ନିଜ ଶାଖାରେ ବିଜେପି ଓ ସହଯୋଗୀ ସଂଗଠନଗୁଡ଼ିକ ସହିତ ସମନ୍ୱୟ ବୈଠକ କରିବା ଆରମ୍ଭ କରିଛନ୍ତି। ନିକଟରେ କାଶୀ, ଅବଧ, ବ୍ରଜ, ମିରଟ (ଉତ୍ତରପ୍ରଦେଶ) ଓ ଉତ୍ତରାଖଣ୍ଡ ପ୍ରାନ୍ତରେ ଏଭଳି ସଭା ଆୟୋଜନ କରାଯାଇଥିଲା।

Advertisment

ଭିଏଚ୍‌ପିର ଅନ୍ତର୍ଜାତୀୟ ଉପାଧ୍ୟକ୍ଷ ତଥା ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଅକ୍ଟୋବର ୨୯ରେ ବାରାଣସୀରେ କାଶୀ ପ୍ରାନ୍ତର ଏକ ବୈଠକ କରିଥିଲେ। ସେହିପରି ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ର ଲକ୍ଷ୍ନୌରେ ଅବଧ ପ୍ରାନ୍ତ ବୈଠକକୁ ସମ୍ବୋଧିତ କରିଥିବା ବେଳେ ନିକଟରେ ଭିଏଚ୍‌ପିର ଜଣେ ବରିଷ୍ଠ ନେତା ଉତ୍ତରାଖଣ୍ଡ ପ୍ରାନ୍ତ ବୈଠକକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ। ଡେରାଡୁନରେ ଆର୍‌ଏସ୍‌ଏସ୍‌ର ଜଣେ କର୍ମକର୍ତ୍ତା କହିଛନ୍ତି, ଯେହେତୁ ଉତ୍ତରାଖଣ୍ଡରେ ପ୍ରମୁଖ ମନ୍ଦିର ରହିଛି, ଯାହା କି ଅଧିକାଂଶ ପାହାଡିଆ, ତେଣୁ ଜାନୁଆରି ୨୨ରେ ଏହି ମନ୍ଦିରଗୁଡିକରେ ଅକ୍ଷତ ବଣ୍ଟନ, ପୂଜା ଆୟୋଜନ ଏବଂ ପୂଜାର ସିଧା ପ୍ରସାରଣ ପାଇଁ ଆମକୁ ୧,୦୦୦ରୁ ଅଧିକ କର୍ମୀଙ୍କ ଆବଶ୍ୟକତା ପଡିବ।

ଅଯୋଧ୍ୟାର ରାମ ଜନ୍ମଭୂମିରେ ପାଖାପାଖି ୨୦୦ ଭିଏଚ୍‌ପି ଏବଂ ଆର୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀଙ୍କୁ ହଳଦୀ ଓ ଘିଅ ମିଶ୍ରିତ ଚାଉଳ ‘ଅକ୍ଷତ’ ଦିଆଯିବ। ଏହାପରେ ସେମାନେ ନିଜ ପ୍ରାନ୍ତ ମୁଖ୍ୟାଳୟ ଅଭିମୁଖେ ଯାତ୍ରା କରିବେ। ପ୍ରତ୍ୟେକ ପ୍ରାନ୍ତକୁ ୫ କେଜି ଅକ୍ଷତ ଦିଆଯିବ। ଏହାକୁ ବଣ୍ଟନ ପାଇଁ ସେମାନେ ନିଜ ନିଜ ପ୍ରାନ୍ତ ମୁଖ୍ୟାଳୟକୁ ନେବେ। ସେମାନେ ଏଥିରେ ଅଧିକ ଚାଉଳ ଓ ହଳଦୀ ମିଶାଇ ପାରିବେ। ଡିସେମ୍ବର ଶେଷ ସୁଦ୍ଧା ଅକ୍ଷତ ଦେଶର ବିଭିନ୍ନ ଗାଁ ଓ ୱାର୍ଡରେ ପହଞ୍ଚିବ। ଜାନୁଆରି ୧ରୁ ୧୫ ପର୍ଯ୍ୟନ୍ତ ଘରକୁ ଘର ବୁଲି ବଣ୍ଟନ କରାଯିବ। ଆମର ଲକ୍ଷ୍ୟ ହେଉଛି ୫ କୋଟି ପରିବାର ଦୀପ ଜାଳିବା ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟର ଜଣେ ସଦସ୍ୟ। ୫ ଲକ୍ଷରୁ ଅଧିକ ମନ୍ଦିରରେ ଏଭଳି କାର୍ଯ୍ୟକ୍ରମ ସହିତ ସମଗ୍ର ଦେଶକୁ ଅଯୋଧ୍ୟାରେ ପରିଣତ କରିବାକୁ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି। ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ୪,୦୦୦ରୁ ଅଧିକ ସନ୍ଥ ଏବଂ ୨,୫୦୦ ‘ବିଶିଷ୍ଟ ନାଗରିକ’ ଉପସ୍ଥିତ ରହିବେ। ଏହାପରେ ବିଭିନ୍ନ ପ୍ରାନ୍ତରୁ ଆର୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ମଧ୍ୟ ରାମ ମନ୍ଦିର ପରିଦର୍ଶନ କରିବେ। ଜାନୁଆରି ୩୦ରେ କାଶୀ ଅଞ୍ଚଳର ପ୍ରାୟ ୨୫ ହଜାର ସ୍ୱେଚ୍ଛାସେବୀ ଅଯୋଧ୍ୟା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।