ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା କମଳ ନାଥ ଦେଇଥିବା ଟିପ୍ପଣୀ ବିରୋଧରେ କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନାଥ ଏକ ସାକ୍ଷାତକାରରେ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ସମସ୍ତ ଶ୍ରେୟ ବିଜେପି ନେଇପାରିବନି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭୁମିକାକୁ ଆଦୌ ଅଣଦେଖା କରିହେବନାହିଁ। କମଳନାଥ କହିଛନ୍ତି, ୧୯୮୬ରେ ବିବାଦୀୟ ବାବ୍ରି ମସଜିଦ ସ୍ଥଳରେ ଅସ୍ଥାୟୀ ରାମ ମନ୍ଦିରର ତାଲା ଖୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହିନ୍ଦୁମାନଙ୍କୁ ମନ୍ଦିର ପରିସରରେ ପୂଜା କରିବାର ଅନୁମତି ଦେଇଥିଲେ। କିନ୍ତୁ ବିଜେପି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ସମସ୍ତ ଶ୍ରେୟ ନେବାକୁ ଚେଷ୍ଟା କରୁଛି। ରାମ ମନ୍ଦିରର ଶ୍ରେୟ ବିଜେପି ନେଇପାରିବନି। ରାମ ମନ୍ଦିର କୌଣସି ଦଳର ନୁହେଁ। ବିଜେପି ରାମ ମନ୍ଦିରକୁ ଏହାର ସମ୍ପତ୍ତି ବିବେଚନା କରୁଛି।

Advertisment

ରାମ ମନ୍ଦିର ସମଗ୍ର ଦେଶର ବୋଲି ସେ କହିଛନ୍ତି । ତେବେ ବିଜେପି କମଳନାଥଙ୍କ ଟିପ୍ପଣୀ ବିରୋଧରେ ତୀବ୍ର ପ୍ରତିକ୍ରିୟା ରଖିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜୀବ ଗାନ୍ଧିଙ୍କ ଅବଦାନ ସଂକ୍ରାନ୍ତରେ ପ୍ରଶ୍ନ କରିଛନ୍ତି। ଶାହତି, ବିଜେପି କେବେ ବି ରାମ ମନ୍ଦିର ନିର୍ମାଣର ଶ୍ରେୟ ନେଇନାହିଁ। ବରଂ ମନ୍ଦିର ହିନ୍ଦୁମାନଙ୍କର ବୋଲି ଦଳ ସବୁବେଳେ କହି ଆସିଛି। କମଳ ନାଥଙ୍କ ଏହି ଟିପ୍ପଣୀ ପ୍ରସଙ୍ଗରେ ଏଆଇଏମ୍ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅ‌ୱେସୀ କହିଛନ୍ତି, ଏହା କଂଗ୍ରେସର ବାସ୍ତବ ଚେହେରାକୁ ପଦାରେ ପକାଇ ଦେଇଛି। କଂଗ୍ରେସ ହେଉଛି ଆରଏସଏସ୍‌ର ମା' । ରାହୁଲ ଗାନ୍ଧିଙ୍କ ବାପା ୧୯୮୬ରେ ପ୍ରଧାନମନ୍ତ୍ରୀ ଥିଲେ। କମଳ ନାଥଙ୍କ ବିବୃତ୍ତି ଏହି ଦଳର ଅସଲ ଚେହେରାକୁ ପଦାକୁ ଆଣିଛି ବୋଲି ଅୱେସୀ କହିଛନ୍ତି।