୨୦୨୫ରେ ରାମ ମନ୍ଦିର ନିର୍ମାଣ ହେବ: ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଯଥାଶ୍ରୀଘ୍ର ଆରମ୍ଭ କରିବାକୁ ବିଭିନ୍ନ ହିନ୍ଦୁ ସଂଗଠନ ଦାବି କରୁଥିବା ବେଳେ ଆର୍‌ଏସ୍‌ଏସ୍‌ ସାଧାରଣ ସଂପାଦକ ଭୈୟାଜୀ ଯୋଶୀ ଆଜି ଏକ ଚକିତକାରୀ ମନ୍ତବ୍ୟ ଦେଇଛନ୍ତି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ୨୦୨୫ରେ ହେବ ବୋଲି ସେ କହିଛନ୍ତି। ୨୦୨୪ ଲୋକସଭା ନିର୍ବାଚନର ଗୋଟିଏ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ଯୋଶୀଙ୍କ ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ଶିବସେନା ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ମନ୍ଦିର ପ୍ରସଙ୍ଗରେ ବିଜେପିକୁ ଲଗାତାର ଘେରୁଥିବା ଶିବସେନା କହିଛି ଆର୍‌ଏସ୍‌ଏସ୍‌ କେବଳ ବିଜେପିକୁ ସୁରକ୍ଷା ଦେବା ପାଇଁ ଚାଲ୍‌ ଖେଳୁଛି, କିନ୍ତୁ ଏହା ସଫଳ ହେବନାହିଁ। ୨୦୨୫ ସୁଦ୍ଧା ରାମ ମନ୍ଦିର ନିର୍ମାଣ ଶେଷ ହେବ ନା ଆରମ୍ଭ ହେବ ତାହା ସ୍ପଷ୍ଟ କରିବାକୁ ଭୈୟାଜୀ ଯୋଶୀଙ୍କୁ ସେନା ଆହ୍ବାନ ଦେଇଛି। ନ୍ୟୁଜ୍‌ ଏଜେନ୍‌ସି ଏଏନ୍‌ଆଇ ମୁତାବକ ଯୋଶୀ କହିଥିଲେ ଯେ ୧୯୫୨ରେ ସୋମନାଥ ମନ୍ଦିର ସ୍ଥାପନା ସହିତ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ୨୦୨୫ରେ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ହେବାପରେ ଦେଶ ବିକାଶର ଆଉ ଏକ ପର୍ଯ୍ୟାୟରେ ପହଞ୍ଚିବ। ଅଯୋଧ୍ୟାରେ ମନ୍ଦିର ନିର୍ମାଣ ହେବା ପରେ ଦେଶ ୧୫୦ ବର୍ଷ ପାଇଁ ପୁଂଜି ପ୍ରାପ୍ତ କରିବ ବୋଲି ସେ କହିଥିଲେ। ବିବାଦ ପରେ ବୟାନ ଉପରେ ସଫେଇ ଦେଇ ଯୋଶୀ କହିଛନ୍ତି ଯେ ଏବେ ମନ୍ଦିର ନିର୍ମାଣ ଆରମ୍ଭ ହେଲେ ତାହା ୨୦୨୫ ସୁଦ୍ଧା ଶେଷ ହେବ।

ସମ୍ବନ୍ଧିତ ଖବର