ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଏବେ ଅଧ୍ୟାଦେଶ ଆସିପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସ୍ପଷ୍ଟ କରିବା ପରେ ଏହାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏହାକୁ ସକାରାତ୍ମକ ପଦକ୍ଷେପ ବୋଲି ଦର୍ଶାଇଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଭିଏଚ୍‌ପି କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ବାବଦରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ବୟାନ ହିନ୍ଦୁ ସମାଜକୁ ଆଘାତ ଦେଇଛି। ୨୦୧୧ ମସିହାରୁ ମାମଲା କୋର୍ଟରେ ପଡ଼ିରହିଥିବା ବେଳେ ମୋଦୀ ପୁଣି କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ପାଇଁ କହୁଛନ୍ତି। କିନ୍ତୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି କରିଆସୁଥିବା ହିନ୍ଦୁ ସମାଜ ଅନନ୍ତ କାଳ ପର୍ଯ୍ୟନ୍ତ ଅପେକ୍ଷା କରିପାରିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କ କହିବାନୁଯାୟୀ ମୋଦୀ ସରକାର କୋର୍ଟ ରାୟକୁ ଅପେକ୍ଷା ନକରି ଆଇନ ଆଣିବା ଆବଶ୍ୟକ। ଆଲୋକ କୁମାର ଆହୁରି କହିଛନ୍ତି ଯେ ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଏବେ ଅନେକ ଦିନ ଧରି ଚାଲିବ। ଏହି ଶୁଣାଣିକୁ ହିନ୍ଦୁ ସମାଜ ବର୍ଷ ବର୍ଷ ଧରି ଅପେକ୍ଷା କରିପାରିବ ନାହିଁ। ମୋଦୀ ସରକାର ଅଧ୍ୟାଦେଶ ଆଣିବା ଦିଗରେ ଗୁରୁତ୍ବର ସହ ବିଚାର କରନ୍ତୁ।