ରାମ ମନ୍ଦିର ନିର୍ମାଣ ପାଇଁ କମ୍ପିଲା ଅଯୋଧ୍ୟା

ଅଯୋଧ୍ୟା: ଅଯୋଧ୍ୟା‌ରେ ରାମ ମନ୍ଦିର ନିର୍ମାଣ ଦାବି ଜୋର ଧରିଥିବା ବେଳେ ଭିଏଚ୍‌ପିର ବିରାଟ ଧର୍ମସଭା ଏହି ଦାବିକୁ ବ୍ୟାପକ କରିଛି। ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଆୟୋଜିତ ଏହି ଧର୍ମସଭାରେ ଆର୍‌ଏସ୍‌ଏସ୍‌, ଶିବସେନା ଓ ବିଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟମାନେ ଯୋଗଦେଇଛନ୍ତି। ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ରାଜ୍ୟରୁ ହିନ୍ଦୁମାନେ ବିରାଟ ପଟୁଆରରେ ବାହାରି ଅଯୋଧ୍ୟାର ବଡେ ଭକ୍ତ ମହଲରେ ସମାଗମ ହୋଇଛନ୍ତି। ବିଭିନ୍ନ ସ୍ଲୋଗାନ୍‌ ଦେଇ ଲୋକମାନେ ରାମ ମନ୍ଦିର ନିର୍ମାଣ ଦାବିକୁ ଜୋରଦାର କରିଛନ୍ତି। ରାମନାମରେ ଅଯୋଧ୍ୟା ପ୍ରକମ୍ପିତ ହୋଇଛି। ୧୯୯୨ ପରଠାରୁ ଏହାକୁ ଅଯୋଧ୍ୟାରେ ସବୁଠୁ ବଡ଼ ହିନ୍ଦୁ ଧର୍ମସଭା ବୋଲି କୁହାଯାଉଛି। ଭିଏଚ୍‌ପି ଧର୍ମସଭାରେ ଯଦିଓ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରାଯାଇଛି, ଏ ନେଇ ସରକାରଙ୍କୁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ନାହିଁ। ଏମିତି କି ସରକାର ଏଥିପାଇଁ ଅଧ୍ୟାଦେଶ ଆଣିବା ନେଇ ମଧ୍ୟ କୁହାଯାଇ ନାହିଁ। ଭିଏଚ୍‌ପି ପକ୍ଷରୁ କୁହାଯାଇଛି ଯେ ଅଯୋଧ୍ୟା ହିନ୍ଦୁମାନଙ୍କର ତୀର୍ଥସ୍ଥଳୀ ହୋଇଥିବାରୁ ଏଠାରେ କେବଳ ମନ୍ଦିର ସ୍ଥାପନ ହେବା ଆବଶ୍ୟକ। ଭାରତରେ ବାବ୍ରୀ ମସ୍‌ଜିଦ୍‌ର କୌଣସି ନାମ ନାହିଁ। ଅନ୍ୟପକ୍ଷରେ ଛଡ଼ାଇ ନିଆଯାଇଥିବା ଜମିରେ ନମାଜ୍‌ ପାଠ କରିବା ଗ୍ରହଣୀୟ ନୁହେଁ। ଏହି ଜମିକୁ ଜୋରଜବରଦସ୍ତ ଛଡ଼ାଇ ନିଆଯାଇଥିଲା। ତେଣୁ ଏଠାରେ ମସ୍‌ଜିଦ୍‌ ନିର୍ମାଣର ପ୍ରଶ୍ନ ଉଠୁନାହିଁ ବୋଲି ଭିଏଚ୍‌ପି ନେତା ଚମ୍ପତି ରାୟ କହିଛନ୍ତି। ତାଙ୍କ କହିବାନୁଯାୟୀ ଅଯୋଧ୍ୟାର ଉକ୍ତ ବିବାଦୀୟ ଜମି କୌଣସିମତେ ବଣ୍ଟାଯିବା ଉଚିତ ନୁହେଁ। ଏହା ହିନ୍ଦୁମାନଙ୍କର। ଆମେ ସମସ୍ତ ଜମି ଚାହୁଛୁ। ଭାରତ ସରକାର ନିଜ ପ୍ରତିଶ୍ରୁତି ପାଳନ କରିବା ଆବଶ୍ୟକ। କିଛି ବୁଦ୍ଧିଜୀବୀ କହୁଛନ୍ତି ଯେ ୧୯୯୨ରେ ବାବ୍ରୀ ମସ୍‌ଜିଦ୍‌ ଭାଙ୍ଗିବା ପରେ ରାମ ମନ୍ଦିର ନିର୍ମାଣ ଦାବି ଉଠିଥିଲା। କିନ୍ତୁ ତାହା ଭୁଲ। ଏହି ଲଢ଼େଇ ୪୯୦ ବର୍ଷର।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସରକାର ବ୍ୟବସ୍ଥା ନକଲେ ପରିଣତି ଖରାପ ହେବ। ସରକାର ଏହାଦ୍ବାରା ହିନ୍ଦୁମାନଙ୍କ ଭାବାବେଗ ସହ ଖେଳ ଖେଳିବା ଭଳି ହେବ। ପରିସ୍ଥିତି ଯାହା ହେଉ ନା କାହିଁକି ଅଯୋଧ୍ୟାରେ ରାମ ମନ୍ଦିର ନିଶ୍ଚିତ ନିର୍ମାଣ ହେବ।

ସୁରକ୍ଷା ପାଇଁ ଜୋନ୍‌
ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଅଯୋଧ୍ୟାକୁ ଆଜି ବିଭିନ୍ନ ଜୋନ୍‌ରେ ବିଭକ୍ତ କରିଥିଲା ୟୁପି ପୁଲିସ। ଏହି ଜୋନ୍‌କୁ ଦୃଷ୍ଟିରେ ରଖି ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା। ରେଡ୍‌ ଓ ୟେଲୋ ଜୋନ୍‌ ଦୁଇଟି ପ୍ରମୁଖ ଜୋନ୍‌ ରହିଥିଲା।

ଟ୍ରାଫିକ୍‌ ଜାମ୍‌
ବିଭିନ୍ନ ଅଞ୍ଚଳରୁ ହିନ୍ଦୁ ସଂଗଠନର ସଦସ୍ୟମାନେ ଆସିବା ‌ଯୋଗୁ ଅଯୋଧ୍ୟା ଜନସମୁଦ୍ର ପାଲଟିଥିଲା। ଫଳରେ ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ବିଶେଷକରି ଲକ୍ଷ୍ନୌ-ଗୋରଖପୁର ରାଜପଥରେ ପରିସ୍ଥିତି ଉତ୍କଟ ହୋଇଥିଲା। ଏଠାରେ ଟ୍ରାଫିକ୍‌ ସମସ୍ୟା ଯୋଗୁ ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିବାକୁ ପଡ଼ିଥିଲା। ଫଳରେ ଅଶାନ୍ତି ଦେଖାଦେଇଥିଲା। ଲୋକମାନେ ବିଭିନ୍ନ ଭାଗରୁ କାର୍‌, ବାଇକ୍‌, ଟ୍ରକ୍‌ ଓ ବସ୍‌ ଯୋଗେ ଆସୁଥିବା ଦେଖିବାକୁ ମିଳିଥିଲା।

ପୁଲିସର ଅବହେଳା
ଫୈଜାବାଦ-ଅଯୋଧ୍ୟା ରାଜପଥ ସବୁଠୁ ସମ୍ବେଦନଶୀଳ ଥିବାରୁ ଏଠାରେ ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ଏଠାରେ ସେଭଳି ଦେଖିବାକୁ ମିଳିନଥିଲା। ଏଠାରେ ଟ୍ରାଫିକ୍‌ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କେବଳ ରାପିଡ୍‌ ଆକ୍ସନ୍‌ ଫୋର୍ସ ମୁତୟନ କରାଯାଇଥିଲା।

ଡ୍ରୋନ୍‌ କ୍ୟାମେରା ବ୍ୟବସ୍ଥା
ଧର୍ମସଭା ସ୍ଥଳ ଉପରେ କଡ଼ା ନଜର ରଖିବା ପାଇଁ ୟୁପି ପୁଲିସ ପକ୍ଷରୁ ଅନେକ ଡ୍ରୋନ୍‌ ବ୍ୟବସ୍ଥା କରାଯାଇଥିଲା। ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ଡ୍ରୋନ୍‌ ସାଙ୍ଗକୁ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିଲା।

ହନୁମାନ ଗଡ଼ି ମନ୍ଦିରରେ କଡ଼ା ସୁରକ୍ଷା
ସମ୍ଭାବ୍ୟ ହିଂସାକୁ ଦୃଷ୍ଟିରେ ରଖି ହନୁମାନ ଗଡ଼ି ମନ୍ଦିର ଓ ରାମ ଜନ୍ମଭୂମିଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଠାରେ ମହିଳା ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ହୋଇଥିଲେ।

ନେପାଳରୁ ମଧ୍ୟ ଲୋକଙ୍କ ସୁଅ
ଧର୍ମସଭାରେ ଯୋଗଦେବା ପାଇଁ ନେପାଳରୁ ଅନେକ ହିନ୍ଦୁ ସମ୍ପ୍ରଦାୟ ଲୋକ ଛୁଟିଆସିଥିଲେ। ତେଣୁ ନେପାଳକୁ ଲାଗି ଥିବା ଦୁଇଟି ଜିଲ୍ଲା ସଂଲଗ୍ନ ନେପାଳ ସୀମାରେ ସତର୍କତା ଜାରି କରାଯାଇଥିଲା।

ଡିସେମ୍ବର ୧୧ ପରେ ବଡ଼ ଘୋଷଣା
ଡିସେମ୍ବର ୧୧ରେ ୫ଟି ରାଜ୍ୟର ବିଧାନ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଏହା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବାବଦରେ ବଡ଼ ଘୋଷଣା କରାଯିବ ବୋଲି ସ୍ବାମୀ ରାମଭଦ୍ରାଚାର୍ଯ୍ୟ କହିଛନ୍ତି।

ରାମଙ୍କ ସେବା କରିପାରିବନି ଶିବସେନା: ବିଜେପି ବିଧାୟକ
ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ‌ବିଜେପିକୁ ଘେରିବା ପରେ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯେଉଁ ଲୋକମାନେ ଉତ୍ତର ଭାରତୀୟଙ୍କୁ ମାର୍‌ପିଟ୍‌ କରୁଛନ୍ତି ଏବଂ ସେମାନଙ୍କୁ ମହାରାଷ୍ଟ୍ରରୁ ତଡ଼ିଦେବା କଥା କହୁଛନ୍ତି, ସେମାନେ ଭଗବାନ ରାମଙ୍କ ‌ସେବା କରିପାରିବେ ନାହିଁ।

ମନ୍ଦିର ଆନ୍ଦୋଳନ ଓ ଧର୍ମସଭା ପାଇଁ ଶିବସେନାର ଭୂମିକା ନାହିଁ। କିନ୍ତୁ ଏହାର ମୁଖ୍ୟ ଉଦ୍ଧବ ଠାକରେ ଏହାକୁ ଆଧାର କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଯଦି ଆଜି ବାଲାସାହେବ୍‌ ଠାକରେ ବଞ୍ଚିଥାନ୍ତେ, ଉଦ୍ଧବ ଠାକରେଙ୍କୁ ଏଭଳି କାର୍ଯ୍ୟରୁ ସେ ନିଶ୍ଚିତ ରୋକିଥାନ୍ତେ
କେଶବ ପ୍ରସାଦ ମୌର୍ଯ୍ୟ, ୟୁପି ଉପମୁଖ୍ୟମନ୍ତ୍ରୀ

ରାମ ମନ୍ଦିର ନିର୍ମାଣ ସୁପ୍ରିମ୍‌ କୋର୍ଟଙ୍କ ପ୍ରାଥମିକ ପ୍ରସଙ୍ଗ ନୁହେଁ। ସରକାର ଏଥିପାଇଁ ଆଇନ ଆଣିବା ଆବଶ୍ୟକ
ମୋହନ ଭାଗବତ, ଆର୍‌ଏସ୍‌ଏସ୍‌ ମୁଖ୍ୟ

ସମ୍ବନ୍ଧିତ ଖବର