ରାମଚନ୍ଦ୍ର ଗୁହା, ଯୋଗେନ୍ଦ୍ର ଯାଦବ ଓ ୟେଚୁରୀଙ୍କ ସମେତ ୧୨ ଶହ ଅଟକ

ବେଙ୍ଗାଲୁରୁ /ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ଆଜି ଦେଶବ୍ୟାପୀ ଆନ୍ଦୋଳନ ତେଜିବା ପରେ ଦିଲ୍ଲୀ ପୁଲିସ ଦ୍ବାରା ଆଜି ସମୁଦାୟ ୧୨୦୦ ଆନ୍ଦୋଳନକାରୀ ଅଟକ ରହିଛନ୍ତି। ଏମାନଙ୍କ ମଧ୍ୟରେ ବିଶିଷ୍ଟ ଐତିହାସିକ ତଥା ସ୍ତମ୍ଭକାର ରାମଚନ୍ଦ୍ର ଗୁହା, ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ଭଳି ଦେଶର କିଛି ପ୍ରମୁଖ ବୁଦ୍ଧିଜୀବୀ ଓ ରାଜନେତା ମଧ୍ୟ ଅଛନ୍ତି।

ଆଜି ବେଙ୍ଗାଲୁରୁ ଟାଉନ୍‌ ହଲ୍‌ ନିକଟରେ ଆଜି ଚାଲିଥିବା ବିକ୍ଷୋଭ ବେଳେ ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା ମଧ୍ୟ ଉପସ୍ଥିତ ଥିଲେ। ‌ ବେଙ୍ଗାଲୁରୁରେ ଧାରା ୧୪୪ ଜାରି ହୋଇଥି‌ଲେ ମଧ୍ୟ ଏହାକୁ ଖାତିର ନକରି ଆନ୍ଦୋଳନ କରୁଥିବାରୁ ଶ୍ରୀ ଗୁହା ଏବଂ ଅନ୍ୟ କେତେକ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଥିଲା। ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନରେ ଶ୍ରୀ ଗୁହା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହା ଅତ୍ୟନ୍ତ ଅଗଣତାନ୍ତ୍ରିକ। ପୁଲିସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ବି ଦେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଦିଲ୍ଲୀ ପୁଲିସ ସୀତାରାମ ୟେଚୁରୀ, ଡି ରାଜା, ଯୋଗେନ୍ଦ୍ର ଯାଦବ, ଉମର ଖାଲିଦ, ଅଜୟ ମାକେନ ଏବଂ ସନ୍ଦୀପ ଦିକ୍ଷୀତଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ଯୋଗେନ୍ଦ୍ର ଯାଦବଙ୍କୁ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରୁ ପୁଲିସ ନିଜ ହେପାଜତକୁ ନେଇଯିବା ପରେ ସେ ସାମାଜିକ ଗଣମାଧ୍ୟମରେ ଏକ ସେଲ୍‌ଫି ପୋଷ୍ଟ୍ କରି କହିଛନ୍ତି ଯେ ତାଙ୍କ ସହ ଆହୁରି ୧୦୦୦ରୁ ଅଧିକ ମଧ୍ୟ ଅଟକ ରହିଛନ୍ତି। ସୀତାରାମ ୟେଚୁରୀଙ୍କୁ ପୁଲିସ ଦିଲ୍ଲୀର ମଣ୍ଡି ହାଉସ୍‌ ନିକଟରୁ ଉଠାଇ ନେଇଥିଲା। ସେହିପରି ପୁର୍ବତନ ଛାତ୍ର ନେତା ଉମର ଖାଲିଦ, କଂଗ୍ରେସ ନେତା ଅଜୟ ମାକେନ ଏବଂ ସନ୍ଦୀପ ଦିକ୍ଷୀତଙ୍କୁ ଆନ୍ଦୋଳନ ସମୟରେ ମଣ୍ଡି ହାସଉ ନିକଟରେ ଅଟକ ରଖାଯାଇଥିଲା।

ସମ୍ବନ୍ଧିତ ଖବର