ଲୋକସଭାରେ ରାମଚନ୍ଦ୍ର ହାଁସଦା

ନୂଆଦିଲ୍ଲୀ: ନବଦିଗନ୍ତ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇଥିବା ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଆଜି ଲୋକସଭା ଅଧିବେଶନରେ ଯୋଗ ଦେଇଥିଲେ। ସେ ୧୮ ରୁ ୨୨ ତାରିଖ ଯାଏ ସଂସଦ ଅଧିବେଶନରେ ଯୋଗ ଦେବାପାଇଁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ସିଜେଏମ (ସିବିଆଇ) କୋର୍ଟ ଗତ ୧୧ତାରିଖରେ ଦେଇଥିବା ସର୍ତ୍ତମୂଳକ ଅନୁମତି କ୍ରମେ ଆଜି ହାଁସଦା ଅନ୍ୟ ବିଜେଡି ସାଂସଦମାନଙ୍କ ସହ ଗୃହରେ ଉପସ୍ଥିତ ଥିଲେ। ସିଆର୍‌ପିସିରେ ପ୍ରସିିକ୍ୟୁସନ ଏଜେନ୍ସିମାନଙ୍କୁ ଦିଆଯାଇଥିଲା କ୍ଷମତାରେ ବିସଙ୍ଗତି ଦୁର ପାଇଁ ସେ ଶୂନ୍ୟକାଳରେ ଆଇନ କମିସନ ଓ ବିଧି ଓ ନ୍ୟାୟ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ସିଆରପିସି ଧାରା ୧୬୭ରେ ତଦନ୍ତକୁ ଧାର୍ଯ୍ୟ ସମୟରେ ସାରିବାର ବ୍ୟବସ୍ଥା ଥିବା ବେଳେ ସିଆରପିସି ସେକ୍ସନ୍‌ ୧୭୩ (୮)ରେ ଅଧିକ ତଦନ୍ତ କରିବାର ବ୍ୟବସ୍ଥା ରହିଛି। ଟ୍ରାଏଲ କୋର୍ଟରେ ରାୟ ଆସିବା ପରେ ମଧ୍ୟ ତଦନ୍ତ ସରୁନଥାଏ ବୋଲି ସେ କହିଥିଲେ।

ଜଣେ ଲୋକ ପ୍ରତିନିଧିକୁ ମିଥ୍ୟା ମାମଲାରେ ଜେଲ୍‌ରେ ରଖି ଜୀବନ ଓ ସ୍ୱାଧୀନତାର ମୌଳିକ ଅଧିକାର କାହିଁକି କ୍ଷୁଣ୍ଣ କରାଯାଉଛି ବୋଲି ନିଜ ମାମଲାକୁ ପରୋକ୍ଷରେ ଇଂଗିତ କରି ହାଁସଦା ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ, ରାଜନେତାଙ୍କ ଆପରାଧିକ ମାମଲାର ବିଚାର ପାଇଁ କେନ୍ଦ୍ର ସରକାରଙ୍କ ୧୨ଟି ସ୍ୱତନ୍ତ୍ର ଅଦାଲତ ଗଠନ ନିଷ୍ପତ୍ତିକୁ ସେ ସ୍ୱାଗତ କରିଥିଲେ। ଦୀର୍ଘ ଦିନ ଜେଲ୍‌ରେ ରହିବା ଯୋଗୁଁ ଲୋକଙ୍କର ଅନେକ ପ୍ରସଙ୍ଗକୁ ସେ ଉପସ୍ଥାପନ କରିପାରିନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର