ମୁସ୍‌ଲିମ୍‌ ଯୁବକଙ୍କ ହେପାଜତରେ ରାମଲାଲା:ସେବାରେ ଆନନ୍ଦ, ଈଶ୍ୱର ସମସ୍ତଙ୍କର

ଅଯୋଧ୍ୟା: ସାମ୍ପ୍ରଦାୟିକ ସଦ୍ଭାବର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅଯୋଧ୍ୟାର ତିନି ମୁସ୍‌ଲିମ୍‌ ଯୁବକ। ବିବାଦୀୟ ବାବ୍ରି ମସ୍‌ଜିଦ୍‌ ସ୍ଥଳରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ଭଗବାନ ଶ୍ରୀରାମଙ୍କ ସେବାରେ ଅପାର ଆନନ୍ଦ ଲାଭ କରୁଥିବା ଏହି ଯୁବକମାନେ ଈଶ୍ୱର ସମସ୍ତଙ୍କର ବୋଲି କହିଛନ୍ତି। ରାମ ଜନ୍ମଭୂମି ମନ୍ଦିରର ତାର ବାଡ଼ର ସୁରକ୍ଷା ସମ୍ଭାଳୁଥିବା ଅବଦୁଲ୍‌ ଓ୍ଵାହିଦ୍‌, ଶ୍ରୀରାମଲାଲାଙ୍କ ପାଇଁ ବସ୍ତ୍ର ସିଲେଇ କରୁଥିବା ସାଦିକ୍‌ ଅଲି ଏବଂ ସାରା ମନ୍ଦିରକୁ ଚବିଶ ଘଣ୍ଟା ଆଲୋକ ସୁବିଧା ଯୋଗାଉଥିବା ମେହବୁବ୍‌ଙ୍କ ଉତ୍ସର୍ଗୀକୃତ ମନୋଭାବ ଅଯୋଧ୍ୟାବାସୀଙ୍କ ମୁହଁରେ ଆଲୋଚନାର ବିଷୟ ହୋଇଛି।
ଦୀର୍ଘ ଦୁଇ ଦଶନ୍ଧି ଧରି ଯେତେବେଳେ ଭୀଷଣ ଝଡ଼ ତୋଫାନ ଆସି ରାମ ଜନ୍ମଭୂମି ମନ୍ଦିର ଚତୁଃପାର୍ଶ୍ୱ ତାରବାଡ଼ ଛିଣ୍ଡିଯାଏ, େଓ୍ଵଲ୍ଡର ଓ୍ଵାହିଦ୍‌ ହିଁ ପହଞ୍ଚିଯାନ୍ତି ସେଠାରେ। ପୂର୍ତ୍ତ ବିଭାଗ ତରଫରୁ ତାଙ୍କୁ ମିଳୁଥିବା ଦୈନିକ ୨୫୦ ଟଙ୍କାର ମଜୁରିକୁ ସେ ଗୁରୁତ୍ୱ ନଦେଇ ରାମଲାଲାଙ୍କ ସୁରକ୍ଷାରେ ଲାଗିଯାଆନ୍ତି। ପ୍ରଭୁଙ୍କ ସୁରକ୍ଷା ଲାଗି ତାରବାଡ଼ ଯୋଡ଼ିବାରେ ଯେଉଁ ଆନନ୍ଦ ତାହା ପାଖରେ କୌଣସି ପାରିଶ୍ରମିକ ତୁଚ୍ଛ ବୋଲି ଓ୍ଵାହିଦ୍‌ କହିଛନ୍ତି।
ସେହିପରି କୁର୍ତ୍ତା ପାଇଜାମା ଆଦି ସିଲେଇ କରି ପରିବାର ପୋଷଣ କରୁଥିବା ଦରଜି ସାଦିକ୍‌ ଅଲି ଖୋଜା ପଡ଼ନ୍ତି ରାମଲାଲାଙ୍କର ନୂତନ ବସ୍ତ୍ର ଦରକାର ହେଲେ। ପ୍ରତି ଦେଢ଼ ମାସ କି ଦୁଇ ମାସ ଅନ୍ତରରେ ପ୍ରଭୁଙ୍କ ଲାଗି ନୂଆ ବସ୍ତ୍ର ତିଆରି ପାଇଁ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ବରାଦକୁ ସେ ଅପେକ୍ଷା କରି ରହିଥାନ୍ତି। ଏଥି ପାଇଁ କୌଣସି ପାଉଣା ନନେଇ ସେ ରାମଲାଲାଙ୍କ ପାଇଁ ଅତି ଯତ୍ନର ସହ ପୋଷାକ ସିଲେଇ କରିଥାନ୍ତି। ଈଶ୍ୱର ସମସ୍ତଙ୍କର ଏବଂ ଆମେ ସମସ୍ତେ ତାଙ୍କ ସନ୍ତାନ। ସୁତରାଂ ଆମେ ସମସ୍ତେ ଭାଇଭାଇ ବୋଲି ସାଦିକ୍‌ ବାଣ୍ଟୁଥିବା ଭ୍ରାତୃଭାବର ବାର୍ତ୍ତା ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି।
ସାଦିକ୍‌ଙ୍କ ପରି ତାଙ୍କ ବନ୍ଧୁ ମେହବୁବ୍‌ ମଧ୍ୟ ରାମଲାଲାଙ୍କର ଏକ ନିଆରା ସେବାରେ ନିଜକୁ ସମର୍ପି ଦେଇଛନ୍ତି। ଇଲେକ୍ଟ୍ରିକ୍‌ ମୋଟର ଏବଂ ପମ୍ପ କାମ କରୁଥିବା ମେହବୁବ୍‌ ମନ୍ଦିର ଭିତରେ ଯେପରି ଚବିଶ ଘଣ୍ଟା ବିଦ୍ୟୁତ୍‌ ରହିବ, ତାହା ସେ ଜେନେରେଟର ଚଳାଇ ନିଶ୍ଚିତ କରିଥାନ୍ତି। ରାମଲାଲାଙ୍କ ଚଉପାଶ ଅନ୍ଧାର ହୋଇଗଲେ ତାଙ୍କ ମନ ଭିତରକୁ ଯେମିତି ଅନ୍ଧାର ଘୋଟିଆସେ ବୋଲି ସେ କହିଛନ୍ତି। ଏହି ତିନି ଜଣ ବେଳେ ବେଳେ ସାଧୁ ସନ୍ଥଙ୍କ ସହ ଚାଲି ଚାଲି ସରଜୁ ନଦୀ କୂଳରେ ବିଚରଣ କରିବା ସହ ସେମାନଙ୍କର ସତ୍‌ସଙ୍ଗରୁ ନିଆରା ଶାନ୍ତି ପାଉଥିବା କହିଛନ୍ତି। ତେବେ ଅଯୋଧ୍ୟାରେ ଏମିତି କାଳେ କାଳେ ସୌହାର୍ଦ୍ଦ୍ୟ ଓ ଭାଇଚାରା ବଜାୟ ରହୁ ବୋଲି ସେମାନେ କାମନା କରିଛନ୍ତି।

ସମ୍ବନ୍ଧିତ ଖବର