ମାନିଲା: ଚଳିତବର୍ଷ ଏସିଆର ସର୍ବଶ୍ରେଷ୍ଠ ସମ୍ମାନଜନକ ରମଣ ମାଗ୍ସେସେ ପୁରସ୍କାର ହାସଲ କରିଥିବା ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ଦୁଇଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ ଭାରତ ବଟ୍ଓ୍ଵାନି ଓ ସୋନମ୍ ଓ୍ଵାଙ୍ଗ୍ଚୁକ୍। ସଡ଼କରେ ଭିକ୍ଷା ମାଗୁଥିବା ହଜାର ହଜାର ମାନସିକ ରୋଗୀଙ୍କ ଚିକିତ୍ସା କରି ସେମାନଙ୍କୁ ଆରୋଗ୍ୟ କରାଇବା ଏବଂ ପରେ ସେମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ଭଳି ମହତ୍ କାର୍ଯ୍ୟ ପାଇଁ ଭାରତ ବଟ୍ଓ୍ଵାନିଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ପ୍ରକୃତି, ସଂସ୍କୃତି ଏବଂ ଶିକ୍ଷା ମାଧ୍ୟମରେ ସାର୍ବଜନୀନ ବିକାଶ କରି ଲୋକଲୋଚନକୁ ଆସିଥିବା ସୋନମ୍ ଓ୍ଵାଙ୍ଗ୍ଚୁକ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟ ୪ଜଣ ବିଜେତାଙ୍କ ମଧ୍ୟରେ କାମ୍ବୋଡିଆର ୟୋକ୍ ଛାଙ୍ଗ୍, ଇଷ୍ଟ ତିମୋର୍ର ମାରିଆ ଡି ଲର୍ଡସ୍ ମାର୍ଟିନ୍ସ କ୍ରୁଜ୍, ଫିଲିପାଇନ୍ସର ହାଓ୍ଵାର୍ଡ ଡି ଏବଂ ଭିଏତ୍ନାମର ଭୋ ଥି ହୋଆଙ୍ଗ୍ ୟେନ୍ ରହିଛନ୍ତି। ରମଣ ମାଗ୍ସେସେ ଫାଉଣ୍ଡେସନ୍ ସଭାପତି କାର୍ମେନ୍ସିଟା ଆବେଲା କହିଛନ୍ତି, ଏହି ବ୍ୟକ୍ତିମାନେ ହିଁ ଏସିଆର ପ୍ରକୃତ ନାୟକ। ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରେ ଏମାନେ ନିରନ୍ତର କାର୍ଯ୍ୟ କରିଛନ୍ତି। ଏମାନଙ୍କ ମହାନ୍ କାର୍ଯ୍ୟ ଯୋଗୁ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆସିପାରିଛି। ସାର୍ବଜନୀନ ସମସ୍ୟାକୁ ଏମାନେ ନିଜର ଭାବି ନିର୍ଭୀକତାର କାର୍ଯ୍ୟ କରିଛନ୍ତି। ସ୍ୱଳ୍ପ ସମ୍ବଳ ସତ୍ତ୍ୱେ ସେମାନେ କଦାପି ନିଜ ଲକ୍ଷ୍ୟପଥରୁ ପଛଘୁଞ୍ଚା ଦେଇନାହାନ୍ତି। ବାସ୍ତବରେ ଏମାନେ ହିଁ ଏସିଆର ପ୍ରକୃତ ନାୟକ ବୋଲି ଆବେଲା ଦର୍ଶାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଏସିଆର ନୋବେଲ୍ ବୋଲି କୁହାଯାଉଥିବା ରମଣ ମାଗ୍ସେସେ ପୁରସ୍କାର ପ୍ରଥମେ ୧୯୫୭ରେ ଦିଆଯାଇଥିଲା। ମହାଦେଶର ସର୍ବୋଚ୍ଚ ସମ୍ମାନାସ୍ପଦ ପୁରସ୍କାର ଭାବେ ଏହା ସେହି ବ୍ୟକ୍ତିତ୍ୱମାନଙ୍କୁ ଦିଆଯାଏ, ଯେଉଁମାନେ ସମାଜର ବୃହତ୍ତର ସ୍ୱାର୍ଥକୁ ଆଖିରେ ରଖି ସର୍ବଦା କାର୍ଯ୍ୟ କରିଥାନ୍ତି। ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମଣ ମାଗ୍ସେସେଙ୍କ ବିରଳ ଅବଦାନକୁ ସମ୍ମାନ ଜଣାଇବା ଲାଗି ଏହି ସମ୍ମାନ ପ୍ରତିବର୍ଷ ଦିଆଯାଇଥାଏ।