ଭୋପାଳ: ବୈଷୟିକ ଶିକ୍ଷାରେ ସାଂସ୍କୃତିକ ବିଭବ ଭର୍ତ୍ତି କରିବାକୁ ଯାଇ ମଧ୍ୟପ୍ରଦେଶ ସରକାର ରାଜ୍ୟର ଇଂଜିନିୟରିଂ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ମହାଭାରତ, ରାମାୟଣ ଓ ରାମଚରିତ ମାନସ ଭର୍ତ୍ତି କରାଯାଇଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏ ବିଷୟରେ ସୂଚନା ଦେଇ ମଧ୍ୟପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ଏଥିରେ କିଛି ଭୁଲ୍ ନାହିଁ। ଭଗବାନ୍ ରାମଚନ୍ଦ୍ରଙ୍କ ଚରିତ୍ର ଓ ସମସାମୟିକ କାର୍ଯ୍ୟଧାରା ବିଷୟରେ ଯିଏ ଜାଣିବାକୁ ଚାହିଁବ, ଇଂଜିନିୟରିଂ ପଢ଼ା ଭିତରେ ବି ସେ ତାହା କରିପାରିବ। ସେ ପୁଣି କହିଛନ୍ତି ଯେ ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ରଖି ଏହି ପଦକ୍ଷେପ ନିଆଯାଇଛି।

Advertisment

ମନ୍ତ୍ରୀ ଯାଦବ କହିଲେ ଯେ, ଶିକ୍ଷା ବୋର୍ଡ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଅଧୀନରେ ପାଠ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଆମେ ଯଦି ଆମର ଗୌରବମୟ ଅତୀତ ବିଷୟରେ ଜାଣିବା ପାଇଁ ଚାହିଁବା ସେଥିରେ କାହାରି କିଛି ଆପତ୍ତି ରହିବା ଉଚିତ ନୁହେଁ ବୋଲି ସେ କହିଥିଲେ। ତେବେ ବୈଷୟିକ ପାଠ୍ୟକ୍ରମରେ ପ୍ରକୃତରେ କ’ଣ ଯୋଗ କରାଯାଇଛି, ସେ ବିଷୟରେ ସବିଶେଷ ବିବରଣୀ ମିଳିନାହିଁ। ମଧ୍ୟପ୍ରଦେଶ ହେଉଛି ଅନ୍ୟତମ ରାଜ୍ୟ ଯିଏ ବିଦ୍ୟାଳୟ ଓ ଉଚ୍ଚଶିକ୍ଷାରେ ଏନ୍‌ଇପି ୨୦୨୦ ପ୍ରବର୍ତ୍ତନ କରିବା ଉପରେ କାମ କରିବା ଆରମ୍ଭ କରିଛି। ଏନ୍‌ଇପି ୨୦୨୦ରେ ଆଞ୍ଚଳିକ ଭାଷାରେ ଇଂଜିନିୟରିଂ ଶିକ୍ଷା ଲାଗି ପ୍ରସ୍ତାବ ରହିଛି। ଏହାକୁ କେତେକ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ ମଧ୍ୟ ଏହାକୁ ନେଇ ବିରୋଧ ଓ ଆହ୍ବାନ ଉଭୟ ଦେଖାଦେଇଛି। ପୁଣି ପୁରାଣଶାସ୍ତ୍ରକୁ ବୈଷୟିକ ଶିକ୍ଷାରେ ଭର୍ତ୍ତି କରିବାକୁ ନେଇ ଆଗକୁ ବିବାଦ ତେଜିବ ବୋଲି ଆଶଙ୍କା କରାଯାଉଛି । ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କେତେକ ଶିକ୍ଷାନୁଷ୍ଠାନ ସମ୍ପ୍ରତି ଭାରତୀୟ ପୁରାଣଦର୍ଶନକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି। ଗତବର୍ଷ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ପକ୍ଷରୁ ରାମାୟଣର ବିଷୟବସ୍ତୁକୁ ନେଇ ଏକ ବହୁପ୍ରଚାରିତ ଓ ସଫଳ ନେତୃତ୍ବ ଧାରାବାହିକର ପରିଚାଳନା କରାଯାଇଥିଲା।