ଶ୍ରୀନଗର: ଛାତିଥରା ଦୃଶ୍ୟ, ଯାହାକୁ ଦେଖିଲେ ଯିଏ କେହି ବି ଡରିଯିବ । ରାସ୍ତାରେ ଝୁଲି ରହିଛି ଶହ ଶହ ଗାଡି । ବଡ ବଡ ଟ୍ରକ୍ ମାଟି ସହ ତଳକୁ ଧସିବାକୁ ଅପେକ୍ଷା କରିଛି । ପଛରେ ଅନ୍ୟ ସବୁ ଗାଡିର ଲମ୍ବା ଧାଡି, ଆଗରେ ଧସି ଯାଇଥିବା ବିରାଟ ପାହାଡର ଗଦା । ନା ଆଗକୁ ଯାଇ ହେଉଛି ନା ପଛକୁ ଫେରି ହେଉଛି । ବାଁ ପଟକୁ ଟିକେ କଡ ଲେଉଟିଲେ ମାଟି ଅତଡା ସହ ତଳକୁ ଗାଡି ଗଡିଯିବାର ଭୟ । ଏହି ଭୟ-ଆଶଂକା ଭିତରେ ଝୁଲି ରହିଛି ମାଳମାଳ ଟ୍ରକ-କାର ଏବଂ ବସ୍ ।

Advertisment

ଜମ୍ମୁକାଶ୍ମୀର ରାମବନରେ ଭୟଙ୍କର ଭୂସ୍ଖଳନ ପରେ ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ରାସ୍ତାଘାଟ ସବୁ ଚିହ୍ନି ହେଉନି । ଏନଏଚ-୪୪ରେ ପାହାଡ ଧସି ପଡିଛି ଫଳରେ ରାସ୍ତା ବନ୍ଦ ହୋଇପଡିଛି । ଆଉ ୟାରି ଭିତରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଦୁର୍ଦ୍ଦଶାର ଚିତ୍ର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ- ଏନଏଚ-୪୪ର ୨ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ନାକରୁଛନ୍ତି । ବସ, କାରରେ ଅନେକ ଯାତ୍ରୀ ବି ବୁଲିବାକୁ ଆସି ଫସି ରହିଛନ୍ତି । ବୃଦ୍ଧ, ବୃଦ୍ଧା ପିଲାମାନେ ସବୁ ସଂଘର୍ଷ କରୁଛନ୍ତି । ରାସ୍ତା ସଫା କରିବାକୁ ସମୟ ଲାଗୁଥିବାରୁ ଶହଶହ ଲୋକ ହନ୍ତସନ୍ତ ହେଉଛନ୍ତି ।

ଏପଟେ ବଡ ବଡ ଟ୍ରକ, କାର୍ ସବୁ ପାହାଡ ଧସିବା ଫଳରେ ପୋତି ହୋଇ ଯାଇଛି । ଗୋରୁ ଗାଇ ଖାଇବାକୁ ନପାଇ ଆହତ ଅବସ୍ଥାରେ, ଖଣ୍ଡିଆ ଖାବରା ହୋଇ ଆର୍ତ୍ତ ଚିତ୍କାର କରୁଛନ୍ତି । ଭୂସ୍ଖଳରେ ଅନେକ ଲୋକ ଆହତ ହୋଇଥିବା ବେଳେ ଯବାନଙ୍କ ମେଡିକାଲ ଟିମ ପକ୍ଷରୁ ସେମାନଙ୍କ ଚିକିତ୍ସା କରାଯାଉଛି ।

ତେବେ ଲଗାଣବର୍ଷା ଏବଂ ଭୂସ୍ଖଳନରେ ୨୦୦ରୁ ୨୫୦ ଘର ପୂରାପୂରି ଭାଙ୍ଗିଯାଇଥିବା ବେଳେ ଅନେକ ଲୋକ ବେଘର ଓ ବେସାହାରା ହୋଇଛନ୍ତି । ପାଗ ଖରାପ ଥିବାରୁ ଆଉ ବିପଦ ଟଳିନଥିବାରୁ ରାମବନରେ ଆଜି ପାଇଁ ସ୍କୁଲ ଏବଂ କଲେଜକୁ ଛୁଟି ରଖାଯାଇଛି । ସମସ୍ତ ସରକାରୀ ସ୍କୁଲ-କଲେଜ ଏବଂ ଘରୋଇ ସ୍କୁଲ-କଲେଜକୁ ବନ୍ଦ କରାଯାଇଛି ଏବଂ ଘରେ ରହିବା ସହ ସତର୍କ ରହିବାକୁ କୁହାଯାଇଛି । ପରିସ୍ଥିତି ଦେଖି ଆସନ୍ତାକାଲି ମଧ୍ୟ ସ୍କୁଲ କଲେଜ ଛୁଟି ରହିପାରେ । 

ସେପଟେ ଏନଏଚ-୪୪ ଜାମ୍ ଥିବାରୁ ଜଣେ ବର ପ୍ରାୟ ୭ କିଲୋମିଟର ପାହାଡି ରାସ୍ତା ଚାଲିଚାଲି କନ୍ୟା ଘରେ ପହଞ୍ଚିଛନ୍ତି । ରାମବନ ନିବାସୀ ହସରୁଖ ଅହମ୍ମଦ ନିଲ ଗଗନାନ ଗାଁକୁ ବିବାହ ପାଇଁ ଯାଉଥିବା ବେଳେ ରାସ୍ତା ଖରାପ ପାଇଁ ଚାଲି ଚାଲି ଯିବାକୁ ବାଧ୍ୟ ହୋଇଛନ୍ତି । ସକାଳ ୬ଟାରୁ ଘରୁ ବର ବାହାରିଥିବା ବେଳେ ଚାଲିବା ଛଡା ଆଉ କୌଣସି ବିକଳ୍ପ ନଥିଲା ବୋଲି ଅହମ୍ମଦ କହିଛନ୍ତି । ବାହାଘର ପରେ ବି ନିଜ ପତ୍ନୀଙ୍କ ସହ ହସରୁଖ ସେହି ବାଟ ଦେଇ ପୁଣି ଥରେ ଚାଲିଚାଲି ଫେରିଥିଲେ । ଯେହେତୁ ସେମାନେ ପାହାଡି ଇଲାକା ଲୋକ ତେଣୁ ସେମାନଙ୍କ ପାଇଁ ପାହାଡରେ ଚାଲିବା ଏତେ କଷ୍ଟକର ନୁହେଁ ବୋଲି ବର କହିଥିବା ବେଳେ ସେମାନଙ୍କ ଅତିଥିମାନେ ସାମାନ୍ୟ କଷ୍ଟ ଭୋଗିଛନ୍ତି ।