ଅଫିସ ସାରିବା ପରେ ପ୍ରତିଦିନ ନିଜ ଜମିକୁ ଯାଇ ଚାଷ କରନ୍ତି ଏହି ଆଇଏଏସ ଅଫିସର

ଚଣ୍ଡୀଗଡ଼: ପେସାରେ ସେ ଆଇଏଏସ ଅଫିସର, କିନ୍ତୁ ନିଶା ତାଙ୍କର ଚାଷ କରିବା | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇଏଏସ ଅଫିସରଙ୍କ କଥା କହିବୁ ଯିଏ କି ଉଚ୍ଚ ପଦବୀରେ ଥିଲେ ବି ନିଜ ପରିବାରର ବୃତ୍ତିକୁ ଛାଡିନାହାଁନ୍ତି ବରଂ ଯୁବପିଢିଙ୍କୁ ମଧ୍ୟ ପ୍ରେରଣା ଯୋଗାଉଛନ୍ତି | ୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ ରାମବିର ସିଂ। ସାଙ୍ଗରୁରରେ ଉପଜିଲ୍ଲାପାଳ ଥିବା ରାମବିର ପ୍ରଶାସନିକ କାର୍ଯ୍ୟ ସହିତ, କ୍ଷେତରେ କାମ କରୁଥିବାର ଦେଖିବାକୁ ମିଳିଥାଏ |

ରାମବିର ସିଂ କହିଛନ୍ତି ଯେ ଜଣେ ବ୍ୟକ୍ତି କୌଣସି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ସଫଳତାର ପାହାଚ ଚଢ଼ିପାରିବେ, କିନ୍ତୁ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ତାଙ୍କୁ ସର୍ବଦା ନିଜ ଜମି ଏବଂ ପରମ୍ପରା ସହିତ ଜଡିତ ରହିବା ଆବଶ୍ୟକ। ଚାଷକୁ ଛାଡି ଆଜିକାଲିର ଯୁବପିଢ଼ି ବିଦେଶ ଦେଶ ମୁହାଁ ହେଉଛନ୍ତି, କିନ୍ତୁ ନିଜ ଚାଷ କାର୍ଯ୍ୟକୁ ବଞ୍ଚାଇ ରଖିବା ପ୍ରତ୍ୟେକ କୃଷକ ପରିବାରର ପୁଅଙ୍କର କର୍ତ୍ତବ୍ୟ ହେବା ଉଚିତ | ପଞ୍ଜାବର ବୈଶାଖୀରେ ଥିବା ନିଜ ଗହମ କ୍ଷେତରେ ରାମବିରଙ୍କୁ ସବୁବେଳେ ଦେଖିବାକୁ ମିଳିଥାଏ | ଆଉ କ୍ଷେତରେ ଥିବାବେଳେ ରାମବିରଙ୍କୁ ଚାଷୀ ଭଳି ଦେଖିବାକୁ ମିଳିଥାଏ | ମୁଣ୍ଡରେ ପଗଡି ସାଙ୍ଗକୁ ହାତରେ ଦାଆ ଧରି ରାମବିର କ୍ଷେତକୁ ବାହାରିଯାଆନ୍ତି | ରାମବିରଙ୍କ କହିବା ମୁତାବକ ଦିନରେ ସେ ଅଫିସ କାମ ସାରିବା ପରେ ପ୍ରତିଦିନ ମଣ୍ଡିକୁ ଯାଇଥାନ୍ତି, ଏହା ପରେ ଘରକୁ ଫେରି ସିଧାସଳଖ ନିଜ ଜମିକୁ ଯାଇ ଚାଷ କରିଥାନ୍ତି | ତେବେ ରାମବିର ନିଜ ଜମିରେ କେବଳ ଗହମ ଚାଷ କରନ୍ତି ନାହିଁ, ପନିପରିବା ଏବଂ ଫଳ ମଧ୍ୟ ଚାଷ କରନ୍ତି |

ସୂଚନା ଥାଉ କି ରାମବିର ସିଂ ହରିୟାଣାର ଝାଜର ଜିଲ୍ଲାର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବାପା ସରକାରୀ ଚାକିରି କରୁଥିବାବେଳେ ଅବସର ପରେ ସେ ମଧ୍ୟ ଚାଷ କାର୍ଯ୍ୟରେ ଯୋଗ ଦେଇଥିଲେ | ରାମବିର ସିଂ ମଧ୍ୟ ପିଲାଦିନରୁ ପରିବାର ସହିତ ଚାଷ କାମ କରୁଥିଲେ | ସେ ଜେଏନୟୁ ଦିଲ୍ଲୀରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସିକ୍ୟୁରିଟି ରିଲେସନରେ ଏମଫିଲ କରିଥିଲେ | ୨୦୦୯ ମସିହାରେ ସେ ଆଇଏଏସ ପାଇଥିଲେ | ଆଇଏଏସ ଅଧିକାରୀ ହେବା ପୂର୍ବରୁ ରାମବିର ସିଂ ଜଣେ ଆଇଆରଏସ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର