ରାମ ମନ୍ଦିର ଯାତ୍ରାର ମାର୍ଗଦର୍ଶକ ମହନ୍ତ ପରମହଂସ ରାମଚନ୍ଦ୍ର ଦାସ

ଅଯୋଧ୍ୟା: ଅଗଷ୍ଟ ୩, ୨୦୦୩ ମସିହାର କଥା। ସେଦିନ ମହନ୍ତ ରାମଚନ୍ଦ୍ର ଦାସ ପରମହଂସଙ୍କ ଶେଷ ଯାତ୍ରା ପାଇଁ ସରଜୁ ନଦୀ କୂଳରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ଥିଲେ ଦିଗମ୍ଭର ଆଖଡ଼ାର ଶ୍ରୀ ମହନ୍ତ ଏବଂ ରାମ ଜନ୍ମଭୂମି ନ୍ୟାସର ସଭାପତି। ମହନ୍ତ ପରମହଂସ ଦାସଙ୍କ ଶେଷ କୃତ୍ୟ ସମୟରେ ବାଜପେୟୀ ରାମ ମନ୍ଦିର ନିର୍ମାଣ ପ୍ରତିଜ୍ଞାକୁ ଦୋହରାଇଥିଲେ। ଠିକ୍‌ ୧୭ ବର୍ଷ ପରେ ଆଜି ଏହି ପ୍ରତିଶ୍ରୁତି ପୂରଣ ହୋଇଛି। ମୋଦୀ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଅଯୋଧ୍ୟାର ସାଧୁ ମହନ୍ତ ପରମହଂସ ରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ଏବଂ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଜଣେ ସାମାଜିକ କର୍ମୀ ଥିଲେ। ନିଜର ଧାର୍ମିକ ଆଭିମୁଖ୍ୟ ଏବଂ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ତାଙ୍କର ଦୃଢ଼ ପ୍ରତିଜ୍ଞା ପାଇଁ ସେ ବେଶ୍‌ ପରିଚିତ ଥିଲେ।

ବିହାରର ଏକ ଗ୍ରାମରେ ଜନ୍ମିତ ପରମହଂସଙ୍କ ଜନ୍ମ ସମୟରେ ନାମ ଥିଲା ଚନ୍ଦ୍ରେଶ୍ବର ତିୱାରୀ। କିଛି ବର୍ଷ ପରେ ସେ ଅଯୋଧ୍ୟା ଗଲେ ଏବଂ ଦିଗମ୍ଭର ଆଖଡ଼ା‌ରେ ଜଣେ ତପସ୍ବୀ ହେଲେ। ପରେ ତାଙ୍କୁ ପରମହଂସ ରାମଚନ୍ଦ୍ର ଦାସ କୁହାଗଲା। ୧୯୪୭ରେ ଦାସ ଫୈଜାବାଦ୍‌ରେ ହିନ୍ଦୁ ମହାସଭାର ଜଣେ ନଗର ଅଧ୍ୟକ୍ଷ ଥିଲେ। ୧୯୪୯, ଡିସେମ୍ବର ୨୨ ଏବଂ ୨୩ ତାରିଖ ରାତିରେ ଅଯୋଧ୍ୟାରେ ବାବ୍ରି ମସଜିଦ୍‌ କେନ୍ଦ୍ରୀୟ ଗମ୍ବୁଜରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତି ରଖିବା ସମୟରେ ସେ ଏହି ଅଧ୍ୟକ୍ଷ ପଦରେ ରହିଥିଲେ। ଗୋରଖନାଥ ପୀଠର ମହନ୍ତ ଦିଗ୍‌ବିଜୟ ନାଥଙ୍କ ସହ ସେ ଖୁବ୍‌ ଘନିଷ୍ଠ ଥିଲେ। ତେବେ ବାବ୍ରି ମସଜିଦ୍‌ରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ରଖିବା କାର୍ଯ୍ୟରେ ତାଙ୍କର ଭୂମିକାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଯଦିଓ ପ୍ରଥମ ଏଫ୍‌ଆଇଆର୍‌ରେ ତାଙ୍କର ନାମ ନଥିଲା। ତାଙ୍କର କିଛି ସହଯୋଗୀ ତଥା ଅଭିରାମ ଦାସ, ରାମସକଲ ଦାସ, ସୁଦର୍ଶନ ଦାସ ଏବଂ ପ୍ରାୟ ୫୦ ଜଣଙ୍କ ନାମ ଏଫ୍‌ଆଇଆରରେ ଉଲ୍ଲେଖ ଥିଲା। ଯଦିଓ ପରମହଂସ ରାମଚନ୍ଦ୍ର ଦାସଙ୍କୁ ସରକାରୀ ଭାବେ ଉକ୍ତ ମାମଲାରେ ଜଣେ ଅଭିଯୁକ୍ତ ଭାବେ କେବେ ବି ଦର୍ଶାଯାଇନି। କିଛି ବର୍ଷ ପରେ ସେ ନିଜେ ହିଁ ୧୯୪୯ ମସିହା ‌ଡିସେମ୍ବର ମାସର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବୋଲି ଦାବି କରିଥିଲେ। ୧୯୮୪ରେ ଭିଏଚ୍‌ପି ଦ୍ବାରା ହୋଇଥିବା ଧର୍ମ ସଂସଦରେ ସେ ଜଣେ ପ୍ରମୁଖ ଅଂଶଗ୍ରହଣକାରୀ ଥିଲେ। ତାଙ୍କ ନେତୃତ୍ବରେ ରାମ ଜନ୍ମଭୂମି ନ୍ୟାସ ଗଠନ ହୋଇଥିଲା ଏବଂ ମହନ୍ତ ଦାସ ଏହାର ଅଧ୍ୟକ୍ଷ ହୋଇଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ।

ସମ୍ବନ୍ଧିତ ଖବର