ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବାକୁ ବୁଧବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ସମୟରେ ଏନସିପି ନେତା ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ପ୍ରସ୍ତାବ ଦେଇଥିଲେ ଦିଦି। ହେଲେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବା କହି ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ପାୱାର। ପାୱାରଙ୍କ ଏହି ନିଷ୍ପତ୍ତିକୁ ନେଇ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଏବେ ତାଙ୍କୁ କଟାକ୍ଷ କରିଛନ୍ତି। ହାରିବେ ବୋଲି ଜାଣିଥିବାରୁ ଶରଦ ପାୱାରା ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ନାହିଁ ‌ବୋଲି କହିଛନ୍ତି ରାମଦାସ ଅଠାୱଲେ।

Advertisment

ଅଠାୱଲେ ଏଏନଆଇକୁ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାୱାର ମନା କରିବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ହେବା ଉଚିତ ନୁହେଁ। ଶରଦ ପାୱାର ଜଣେ ବଡ ନେତା। ସେ ନିଜେ ଜାଣନ୍ତି ଯେ ସେ ଏହି ନିର୍ବାଚନରେ ​​ପରାସ୍ତ ହେବେ। ବିରୋଧୀ ଦଳଗୁଡ଼ିକ ତାଙ୍କ ନାଁ କୁ ନେଇ ଅଧିକ ଆଲୋଚନା କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଭାରତର ରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ଚିନ୍ତା କରିବାକୁ ସେ ବିରୋଧୀ ଦଳମାନଙ୍କୁ ନିବେଦନ କରିଛନ୍ତି।

ବିଶେଷ କଥା ହେଉଛି ରାଷ୍ଟ୍ରପତି ନିର୍ବାଚନରେ ​​ଏଥର ଜିତିବା ପାଇଁ ଏନଡିଏ ପାଖରେ ପର୍ଯ୍ୟାପ୍ତ ଭୋଟ୍ ନାହିଁ। ତେଣୁ ମମତା ସବୁ ବିରୋଧୀଙ୍କୁ ଏକଯୁଟ କରି ସର୍ବସମ୍ମତ ପ୍ରାର୍ଥୀ ଦେବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ହେଲେ ସେ ପାୱାରାଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଥିବା ବେଳେ ଏବେ ତାଙ୍କ ଆଶା ଆଶାରେ ରହିଯାଇଛି।