ମୁମ୍ବାଇ: ଉଦ୍ଧବ ଠାକରେଙ୍କ ଦଳ ଦ୍ୱାରା ବହିଷ୍କୃତ ହେବା ପରେ ସିନ୍ଦେ କ୍ୟାମ୍ପରେ ସାମିଲ ହୋଇଥିବା ଶିବସେନା ନେତା ରାମଦାସ କଦମ ବର୍ତ୍ତମାନ ଶିବସେନା ନେତା ଆଦିତ୍ୟ ଠାକରେଙ୍କୁ ଆକ୍ଷେପ କରିଛନ୍ତି। ଭାବପ୍ରବଣ ହୋଇ ସେ ଶିବସେନା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଯେ, ଦଳରୁ ବାହାର କରିବା ପୂର୍ବରୁ ମାତୋଶ୍ରୀରୁ କେହି ତାଙ୍କୁ ଥରେ କଲ୍ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିନଥିଲେ। ବିଧାୟକଙ୍କ ବିଷୟରେ କିଛି କହିବା ପୂର୍ବରୁ ଆଦିତ୍ୟ ତାଙ୍କ ବୟସ ଦେଖିବା ଉଚିତ୍।
ଟିଭି ସାକ୍ଷାତକାରରେ କଦମ କହିଛନ୍ତି ଯେ, ୨୦୧୪ରୁ ୨୦୧୯ପର୍ଯ୍ୟନ୍ତ ମୁଁ ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ଥିଲି। ଏହି ସମୟରେ ୨୦୧୮ ମସିହାରେ ମୁଁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇଥିଲି। କିନ୍ତୁ ସବୁ ଶ୍ରେୟ ଆଦିତ୍ୟ ଠାକରେଙ୍କୁ ଦିଆଯାଇଥିଲା। ଯେତେବେଳେ ମୁଁ ମନ୍ତ୍ରୀ ଥିଲି, ଆଦିତ୍ୟ ଠାକରେ ପ୍ରାୟ ଦେଢ଼ ବର୍ଷ ମୋ କ୍ୟାବିନରେ ବସିଥଲେ। ତା’ପରେ ମୁଁ ବି ଭାବି ନଥିଲି ଯେ ମୋତେ ଅଙ୍କଲ ବୋଲି କହୁଥିବା ଆଦିତ୍ୟ ଦିନେ ମୋ ମନ୍ତ୍ରାଳୟ ଛଡ଼ାଇ ନେଇଯିବେ। କଦମ କହିଛନ୍ତି ଯେ ମୁଁ ମୋ ଜୀବନରେ ଏହି ପ୍ରକାରର ରାଜନୀତି କେବେ କରିନାହିଁ କି କରିବି ନାହିଁ।
ସେ ଆହୁରି କହିଛନ୍ତି ଯେ, କୌଣସି ବାହାର ଲୋକଙ୍କୁ ମନ୍ତ୍ରୀଙ୍କ କ୍ୟାବିନରେ ବସି ବୈଠକରେ ଭାଗ ନେବାର ଅନୁମତି ନାହିଁ। କିନ୍ତୁ ଆଦିତ୍ୟ ଉଦ୍ଧବ ଠାକରେଙ୍କ ପୁଅ ହୋଇଥିବାରୁ ମୁଁ କଦାପି କିଛି କହୁ ନଥିଲି। ପ୍ଲାଷ୍ଟିକ ନିଷେଧାଦେଶର ଶ୍ରେୟ ଆଦିତ୍ୟଙ୍କୁ ଦିଆଯିବା ପରେ ମଧ୍ୟ ମୁଁ କୌଣସି ଆପତ୍ତି କରିନଥିଲି। ଏଭଳି କହି ଟିଭି ସାକ୍ଷାତକାରରେ କଦମ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଉଦ୍ଧବ ଠାକରେଙ୍କୁ ପଚାରିଥିଲେ ଯେ, ସେ ଶିବସେନାରୁ କେତେ ଲୋକଙ୍କୁ ବହିଷ୍କାର କରିବେ?