ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଏବେ ଏକଜିଟ୍ ପୋଲରେ ବିଜେପି ପୁଣି ଥରେ ଜିତିବ ବୋଲି ଅନେକ ସଂସ୍ଥା ଆକଳନ କରିଛନ୍ତି | ଏକଜିଟ୍ ପୋଲରେ ବିଜେପି ୩୦୦ ରୁ ଅଧିକ ସିଟ୍ ଜିତିବ ବୋଲି ଅଧିକାଂଶ ସଂସ୍ଥା ଆକଳନ କରୁଛନ୍ତି | ତେବେ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଏକଜିଟ୍ ପୋଲକୁ ନେଇ ଏକ ବଡ ଦାବି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏକଜିଟ୍ ପୋଲର ପୂର୍ବାନୁମାନଠାରୁ ଅଧିକ ଆସନ ଏନଡିଏ ଜିତିବ | ସେ କହିଛନ୍ତି ଯେ ଏନଡିଏ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ୪୦୦ ରୁ ଅଧିକ ସିଟ୍ ପାଇବ। ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଏ) ମୁଖ୍ୟ ଅଠାୱଲେ କହିଛନ୍ତି ଯେ ମହାରାଷ୍ଟ୍ରରେ ମହାଯୁତି ୪୦ଟି ଆସନ ଜିତିବ ଏବଂ ଏନଡିଏ ଦେଶରେ ୪୦୦ ରୁ ଅଧିକ ସିଟ୍ ପାଇବ। ଉଲ୍ଲେଖ ଥାଉ କି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଏଜେନ୍ସି ଦ୍ବାରା କରାଯାଇଥିବା ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆକଳନ ଅନୁଯାୟୀ ଏନ୍ଡିଏ ପୁଣି ଥରେ ଐତିହାସିକ ସଫଳତା ହାସଲ କରିବାକୁ ଯାଉଛି। ବିଜେପି ନେତୃତ୍ୱରେ ଏନ୍ଡିଏ ସରକାର ଗଠନରେ ହାଟ୍ରିକ୍ କରିବା ନିଶ୍ଚିତ ବୋଲି କୁହାଯାଉଛି।ଲୋକସଭାରେ ମୋଟ ୫୪୩ ଟି ଆସନ ରହିଛି ଏବଂ ସଂଖ୍ୟାଗରିଷ୍ଠତା ପାଇଁ ୨୭୨ଟି ଆସନ ଦରକାର। ସର୍ଭେ ଅନୁଯାୟୀ ଏନ୍ଡିଏକୁ ୩୫୮, ଇଣ୍ଡି ମେଣ୍ଟକୁ ୧୪୮ ଏବଂ ଅନ୍ୟମାନଙ୍କୁ ୩୭ ଆସନ ମିଳିବାର ସମ୍ଭାବନା ରହିଛି।
ଏହି ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏନ୍ଡିଏ ମେଣ୍ଟ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ। ଗୋଟିଏ ପଟେ ବିଜେପି ନେତୃତ୍ବରେ ଏନ୍ଡିଏ ଏଥର ୪୦୦ ପାର ହେବା ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳଙ୍କ ମେଣ୍ଟ ଏଥର କ୍ଷମତାକୁ ଫେରିବ ବୋଲି ଦାବି କରୁଛି। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ରୁ ଅଧିକ ରାଲି ଏବଂ ନିର୍ବାଚନୀ ସଭା କରିଛନ୍ତି। ‘ଇଣ୍ଡିଆ ନ୍ୟୁଜ୍- ଡି ଡାଇନାମିକ୍ସ’ର ଏକଜିଟ୍ ପୋଲ ଅନୁଯାୟୀ ଏନ୍ଡିଏକୁ ୩୭୧ ଲୋକସଭା ଆସନ, ଇଣ୍ଡି ମେଣ୍ଟକୁ ୧୨୫ ଏବଂ ଅନ୍ୟମାନଙ୍କୁ ୪୭ ଲୋକସଭା ଆସନ ମିଳିବ। ‘ଜନ୍ କୀ ବାତ୍’ ଏକ୍ଜିଟ୍ ପୋଲ୍ ଅନୁଯାୟୀ ଏନ୍ଡିଏକୁ ୩୬୨ରୁ ୩୯୨, ଇଣ୍ଡି ମେଣ୍ଟକୁ ୧୪୧ରୁ ୧୬୧ ଏବଂ ଅନ୍ୟମାନଙ୍କୁ ୧୦ରୁ ୨୦ ଆସନ ମିଳିପାରେ। ରିପବ୍ଲିକ୍ ଭାରତ-ମାଟ୍ରିଜ୍ ଏକ୍ଜିଟ୍ ପୋଲ୍ରେ ଆକଳନ କରାଯାଇଛି ଯେ ଏନ୍ଡିଏ ୩୫୩ରୁ ୩୬୮ ଲୋକସଭା ଆସନ ଜିତିପାରେ। ଇଣ୍ଡି ମେଣ୍ଟକୁ ୧୧୮ରୁ ୧୩୩ ଏବଂ ଅନ୍ୟମାନଙ୍କୁ ୪୩ରୁ ୪୮ ଆସନ ମିଳିପାରେ। ‘ରିପବ୍ଲିକ ଟିଭି ଏବଂ ପି-ଏମ୍ଏଆର୍କ୍ୟୁ’ ସର୍ଭେ ଅନୁଯାୟୀ ଏନ୍ଡିଏ କୁ ୩୫୯, ବିରୋଧୀ ଦଳଙ୍କ ଇଣ୍ଡି ମେଣ୍ଟକୁ ୧୫୪ ଏବଂ ଅନ୍ୟାନ୍ୟ ଦଳକୁ ୩୦ଟି ଆସନ ମିଳିବ।ନ୍ୟୁଜ୍ ନେସନ୍ ଏକ୍ଜିଟ ପୋଲ୍ ଆକଳନରେ ଏନ୍ଡିଏକୁ ୩୪୨ରୁ ୩୭୮, ଇଣ୍ଡି ମେଣ୍ଟକୁ ୧୫୩ରୁ ୧୬୯ ଏବଂ ଅନ୍ୟମାନଙ୍କୁ ୨୧ରୁ ୨୩ ଆସନ ମିଳିବ ବୋଲି କୁହାଯାଇଛି। ଇଣ୍ଡିଆ ନ୍ୟୁଜ-ପୋଲଷ୍ଟ୍ରାଟର ଏକ୍ଜିଟ୍ ପୋଲରେ ଏନ୍ଡିଏକୁ ୩୭୧, ଇଣ୍ଡି ମେଣ୍ଟକୁ ୧୨୫ ଓ ଅନ୍ୟମାନଙ୍କୁ ୪୭ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା ।