ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ପତଞ୍ଜଳି ଆୟୁର୍ବେଦକୁ ନେଇ ସୁପ୍ରିମ‌କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଏହି ଆବେଦନର ଶୁଣାଣି କରି ସୁପ୍ରିମ‌କୋର୍ଟ ପତଞ୍ଜଳି ଆୟୁର୍ବେଦକୁ କଡ଼ା ଚେତାବନୀ ଦେଇଥିଲେ।

Advertisment

ଏହି ଚେତାବନୀ ପରେ ଯୋଗ ଗୁରୁ ବାବା ରାମଦେବ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇ କହିଛନ୍ତି, ‘ଆମ ପାଖରେ ଜ୍ଞାନ ଓ ବିଜ୍ଞାନର ଅନେକ ସମ୍ପତ୍ତି ଅଛି। କିନ୍ତୁ ଭିଡ଼ ଭିତରେ ସତ କେଉଁଟା ମିଛ କେଉଁଟା ତାହା ନିଷ୍ପତ୍ତି ହୋଇପାରିବ ନାହିଁ। ମେଡିକାଲ ଦଲାଲମାନେ ମିଥ୍ୟା ପ୍ରଚାର କରୁଛନ୍ତି।  ପତଞ୍ଜଳି କେବେ ମିଥ୍ୟା ପ୍ରଚାର କରେ ନାହିଁ। ବରଂ ପତଞ୍ଜଳି ତ ସ୍ବଦେଶ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛି। ଯେଉଁ ମିଥ୍ୟା ପ୍ରଚାର କରାଯାଉଛି ତାହା ଉପରୁ ପରଦା ଉଠିବା ଉଚିତ। ରୋଗର ନାମ ନେଇ ଲୋକଙ୍କୁ ଭୟଭୀତ କରାଯାଉଛି।

ମୁଁ କେବେ କୋର୍ଟରେ ହାଜର ହୋଇନାହିଁ। କିନ୍ତୁ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ହାଜର ହେବାକୁ ଚାହୁଁଛି। ସୁପ୍ରିମକୋର୍ଟଙ୍କୁ ମୋର ଆବେଦନ କି ମୋତେ ସମ୍ପୂର୍ଣ୍ଣ ଗବେଷଣା ସହିତ ହାଜର ହେବ‌ାକୁ ଅନୁମତି ଦିଆଯାଉ। ଏମିତି ସମୟ ଦିଆଯାଉ କି ଆମେ ରୋଗୀଙ୍କୁ ଗବେଷଣା ପାଇଁ ପ୍ରସ୍ତୁତ କରିପାରିବୁ।

ଲୋକଙ୍କୁ କୁହାଯାଉଛି କି ଥରେ ରୋଗଗ୍ରସ୍ତ ହୋଇପଡ଼ିଲେ ସାରା ଜୀବନ ଔଷଧ ଖାଇବାକୁ ପଡ଼ିବ। କିନ୍ତୁ ମୋ ମତରେ ଔଷଧ ଛାଡ଼ି ଦିଅନ୍ତୁ।  ଆପଣ ପ୍ରାକୃତିକ ଶୈଳୀରେ ଜୀବନ ବଞ୍ଚନ୍ତୁ। ମୁଁ  ଏପରି ଶହେରୁ ଊର୍ଧ୍ବ ଲୋକଙ୍କୁ ସୁପ୍ରିକୋର୍ଟଙ୍କ ସମ୍ମୁଖରେ ପରେଡ କରାଇବାକୁ ପ୍ରସ୍ତୁତ ଅଛି।  ସମସ୍ତ ଗବେଷଣା ଦେବାକୁ ପ୍ରସ୍ତୁ୍ତ ଅଛି। ମୁଁ ଏହି ଲଢ଼େଇ ଅନ୍ତିମ ନିର୍ଣ୍ଣୟ ପର୍ଯ୍ୟନ୍ତ ଲଢ଼ିବି।’

ସୂଚନାଯୋଗ୍ୟ, ଗତକାଲି ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦକୁ ଚେତାବନୀ ଦେଇ କହିଥିଲେ କି, ଯଦି ନିଜର ସାମଗ୍ରୀକୁ ନେଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି ବିଜ୍ଞାପନ ପ୍ରସାରଣ କରିବ ତେବେ ଆଗକୁ ମୋଟାଅଙ୍କର ଜରିମାନା ଲାଗୁ ହେବ। ଏହି ମାମଲାର ଆଗାମୀ ଶୁଣାଣି ଫେବ୍ରୁଆରି ୨୦୨୪ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ପତଞ୍ଜଳି ଆୟୁର୍ବେଦକୁ ନେଇ ଅଭିଯୋଗ ହୋଇଥିଲା କି ପତଞ୍ଜଳିର ଭ୍ରାନ୍ତ ବିଜ୍ଞାପନ ପାଇଁ ଏଲୋପାଥି ଔଷଧର ଉପେକ୍ଷା କରାଯାଉଛି।