ଡେରାଡୁନ: ବାବା ରାମଦେବଙ୍କ ସମସ୍ୟା ବଢ଼ିବାରେ ଲାଗିଛି। କାରଣ ପାତଞ୍ଜଳି ବିରୋଧରେ ବଡ ପଦକ୍ଷେପ ନିଆଯାଇଛି। ଗୁଣାତ୍ମକ ପରୀକ୍ଷାରେ ପତଞ୍ଜଳିର ସୋନ୍ ପାପଡି ବିଫଳ ହୋଇଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତରାଖଣ୍ଡର ପିଥୋରାଗଡ ପୋଲିସ ପତଞ୍ଜଳିର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ବିରୋଧରେ ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ ସଞ୍ଜୟ ସିଂ ଦଣ୍ଡାଦେଶ କରିଛନ୍ତି।
ଏହି ତିନିଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ୨୦୦୬ର ଧାରା ୫୯ ଅନୁଯାୟୀ ଏହି ଦଣ୍ଡାଦେଶ କରାଯାଇଛି। ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ଅନ୍ୟ ଦୁଇ ଅପରାଧୀଙ୍କୁ ୧୦ ଏବଂ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏହି ମାମଲାରେ ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ରିତେଶ ବର୍ମା ହାଜର ହୋଇଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୭ ଅକ୍ଟୋବର ୨୦୧୯ ରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଉତ୍ତରାଖଣ୍ଡର ପିଥୋରାଗ ବେରିନାଗ ବଜାର ପରିଦର୍ଶନ କରିଥିଲେ। ସେହି ସମୟରେ ବେରିନାଗ ବଜାରରେ ଅବସ୍ଥିତ ଲିଲାଧର ପାଠକଙ୍କ ଦୋକାନରେ ଚଢ଼ାଉ କରାଯାଇଥିଲା। ଅନୁସନ୍ଧାନ ବେଳେ ଚଢ଼ାଉ ଦଳ ପତଞ୍ଜଳି ନବରତ୍ନ ଅଳେଇଚ ସୋନ୍ ପାପଡିର ନମୁନା ନେଇ ପରୀକ୍ଷା ପାଇଁ ରୁଦ୍ରପୁରର ଲ୍ୟାବକୁ ପଠାଇଥିଲେ। ଯୋଗାଣକାରୀ ରାମନଗର କାହ୍ନା ଜୀ ଏବଂ ପତଞ୍ଜଳିକୁ ମଧ୍ୟ ନୋଟିସ ଜାରି କରାଯାଇଥିଲା।
ଅନୁସନ୍ଧାନ ସମୟରେ ସୋନ୍ ପାପଡିର ଗୁଣବତ୍ତା ଖରାପ ଥିବା ଜଣାପଡିଥିଲା। ଏହା ପରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଅଭିଷେକ କୁମାର, କାହ୍ନା ଜୀ ବିତରକ ପ୍ରାଇଭେଟ ଲିମିଟେଡର ସହକାରୀ ପରିଚାଳକ ଅଜୟ ଯୋଶୀ, ଦୋକାନୀ ଲୀଲାଧର ପାଠକଙ୍କୁ ଗିରଫ କରିଥିଲା। ଏହି ତିନିଜଣଙ୍କ ବିରୋଧରେ ଶୁଣାଣି ଶେଷ ହେବା ପରେ ସେମାନଙ୍କୁ ଜେଲ ଦଣ୍ଡାଦେଶ ଓ ଜରିମାନା କରାଯାଇଥିଲା।
ଏହା ସହିତ ବାବା ରାମଦେବ ଏବଂ ପତଞ୍ଜଳିକୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଉତ୍ତରାଖଣ୍ଡର ପୁଷ୍କର ଧାମି ସରକାର ପତଞ୍ଜଳିର ୧୪ ଟି ଔଷଧ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ସରକାର ନିଜ ଆଦେଶରେ ମଧ୍ୟବର୍ତ୍ତୀକାଳୀନ ରୋକ୍ କରିଛନ୍ତି। ଯାଞ୍ଚ୍ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା, ଯାହାର ଯାଞ୍ଚ୍ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଏହି ଆଦେଶକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଆୟୁଷ ମନ୍ତ୍ରଣାଳୟର ସଚିବ ପଙ୍କଜ କୁମାର ପାଣ୍ଡେ ଏହା ନିଶ୍ଚିତ କରିଛନ୍ତି। ଏପ୍ରିଲ୍ ୩୦ରେ ଧାମି ସରକାର ପତଞ୍ଜଳିର ୧୪ ଟି ଔଷଧ ଉତ୍ପାଦନ ଲାଇସେନ୍ସକୁ ସ୍ଥଗିତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/WhatsApp-Image-2024-05-19-at-5.58.05-PM.jpeg)